ଚିରନିଦ୍ରାରେ ଗ୍ରାମ୍ୟ ଉନ୍ନୟନ ବିଭାଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବେ ଚିର ନିଦ୍ରାରେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଗୁଡିକ କ୍ରମଶଃ ମରଣଯନ୍ତା ପାଲଟିଥିବା ବେଳେ ସେଗୁଡିକୁ ମରାମତି କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ତତ୍ପରତା ପ୍ରକାଶ କରୁନାହାନ୍ତି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ପଟାପୋଲ ବଜାର ଠାରୁ ଧାମନଗରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଏବେ ଅନେକ ଦିନ ହେବ ଜରାଜୀର୍ଣ୍ଣ ହୋଇ ପଡିଛି। ଆଜକୁ ୮/୧୦ବର୍ଷ ପୂର୍ବେ ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଅନେକ ବର୍ଷ ଧରି ଭଗ୍ନ ରାସ୍ତାରେ ଲୋକମାନେ ଯାତାୟତ କରିଥିବା ବେଳେ ପୂର୍ବ ବର୍ଷ ଏହାକୁ ରକ୍ଷଣାବେକ୍ଷଣ ବାବଦରେ ମରାମତି କରିବା ପାଇଁ ବିଭାଗ ଟେଣ୍ଡର ଆହ୍ୱାନ କରିଥିଲା। ତଦନୁଯାୟୀ କୁରିଗାଁ ଠାରୁ କଣ୍ଟି ଶିବ ମନ୍ଦିର ଯାଏଁ ପ୍ରାୟ ୮ମାସ ହେବ ରାସ୍ତା ମରାମତି କାର୍ଯ୍ୟ ସରିଛି। ଏପଟେ ରାସ୍ତାର ଅନ୍ୟ ଏକ ଅଂଶ ମଣିମାଝୀ ଛକ ଠାରୁ କଣ୍ଟି ଯାଏଁ ଆଂଶିକ ମରାମତି ସରିଥିଲେ ସୁଦ୍ଧା କଣ୍ଟି ଛକ ଠାରୁ ପଟାପୋଲ ଯାଏଁ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରାୟ ୨କିମି ରାସ୍ତା ମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କଂକ୍ରିଟ ଭାଙ୍ଗି ଫାଟ ସୃଷ୍ଟି ହୋଇଥିବା ବେଳେ ପିଚ ଉଠିଯାଇ ରାସ୍ତା ତମାମ ଖାଲ ଖମାରେ ଭର୍ତ୍ତି ହୋଇଗଲାଣି। ବିଶେଷ କରି ଉତ୍ତରାଗଡ଼ିଆ ଆଦିବାସୀ ସାହି, ବୋଧପଡା ଛକ ଓ କଣ୍ଟି ସ୍କୁଲ ଠାରେ ରାସ୍ତା ନିକଟରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି। ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଗତ ଜାନୁଆରୀ ମାସରୁ ଲାଗି ରହିଥିବା ବେଳେ ଏହାକୁ ମରାମତି କରିବାରେ ବିଭାଗୀୟ ଯନ୍ତ୍ରୀ ବିଫଳ ହୋଇଛନ୍ତି। ଫଳରେ ଧାମନଗର-ଭଣ୍ଡାରିପୋଖରୀକୁ ଯାତାୟତ କରୁଥିବା ଲୋକମାନେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାସ୍ତା ଦୁରାବସ୍ଥା ପାଇଁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏହାଛଡା ଜରୁରୀକାଳୀନ ଗାଡିଟିଏ ଯିବା କଷ୍ଟକର ହେଉଛି। ଏପଟେ ରାସ୍ତା ପୁନଃ ମରାମତି ପାଇଁ ଜନୈକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅବ୍ୟବସ୍ଥା ଯୋଗୁଁ ରାସ୍ତା ମରାମତିରେ ବିଳମ୍ବ ହେଉଥିବା ଜଣାପଡିଛି। ଏହା ଉପରେ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ