ଚୋରି ଗୋରୁ ଉଦ୍ଧାର କଲେ ଗ୍ରାମବାସୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧିନ ସରିପୋଳ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମବାସୀ ମାନେ ଚୋରି ଗୋରୁଙ୍କୁ ଉଦ୍ଧାର କରିବା ସହିତ ଚାଳକଙ୍କୁ ଅଟକ ରଖି ଥାନା ଜିମା ଦେଇଛନ୍ତି । ପ୍ରକାଶ ଯେ, ବିଳମ୍ବିତ ରାତ୍ରରେ ଗ୍ରାମ ଭିତରକୁ୍ ଏକ ଗାଡି ଆସିବା ଦେଖି ଜଣେ ବ୍ୟକ୍ତି ଗ୍ରାମବାସୀ ମାନଙ୍କୁ ଖବର କରିଥିଲେ । ଗ୍ରାମବାସୀ ମାନେ ଆସି ଦେଖିବା ବେଳକୁ ଗାଡିରେ ଗୋରୁ ଭର୍ତ୍ତି କରାଯାଇ ନିଆଯାଉଛି । ଲୋକଙ୍କୁ ଦେଖି ଗାଡିଟି ପଳାଇ ଯିବାକୁ ଚେଷ୍ଟା କରିବା ବେଳେ ଗ୍ରାମବାସୀମାନେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପରେ ଲୋକ ମାନେ ଗାଡି ଭିତରେ ଥିବା ଗୋରୁଙ୍କୁ ଉଦ୍ଧାର କରି ପୋଲିସକୁ ଖବର କରିଥିଲେ । ପୋଲିସ ପହଂଚି ଗାଡି ଚାଳକଙ୍କୁ ଗିରଫ କରିବା ସହିତ ଗାଡିଟିକୁ ଜବତ କରିଥିଲା । ଗାଡିରେ ଥିବା ଅନ୍ୟ ୨ ଜଣ ବ୍ୟକ୍ତି ଫେରାର ହୋଇ ଯାଇଥିଲେ । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି ।


