ଛାତ୍ରୀମାନଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ନିଲମ୍ବନ ଓ ଗିରଫ

ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ବାମେବାରୀ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ବେଲ୍‌ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବା ସହିତ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ଗତ ନଭେମ୍ବର ୧୦ ତାରିିଖ ସନ୍ଧ୍ୟା ପ୍ରାୟ ସମୟରେ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସରେ ସ୍ଥାନୀୟ ୨ଜଣ ବ୍ୟକ୍ତି ଓ ଛାତ୍ରୀ ନିବାସର ରୋଷେୟାଙ୍କ ସହିତ ମିଶି ମଦ ପିଉଥିଲେ । ମଦ ପିଇ ସାରି ମଦ୍ୟପ ଅବସ୍ଥାରେ ଛାତ୍ରୀ ନିବାସର ୨ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଗତ ବୁଧବାର ଦିନ ଯୋଡା ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ(ଡବ୍ଲୁଇଓ) ପରିଦର୍ଶନକୁ ଯାଇଥିବା ବେଳେ ଏହି ଘଟଣା ସମ୍ପର୍କରେ ଛାତ୍ରୀମାନେ ଡବ୍ଲୁଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ଅଭିଯୋଗକୁ ଭିତି କରି ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ଓ ରୋଷେୟାଙ୍କୁ ତଦନ୍ତ ପାଇଁ ଯୋଡା ବ୍ଲକକୁ ଡକାଇଥିଲେ । ପ୍ରଧାନଶିକ୍ଷକଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଜଣାଇଥିବାରୁ ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ର ଛାତ୍ରୀମାନଙ୍କୁ ଧମକଚମକ ଦେଇଥିଲେ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍ ସମୟରେ ଛାତ୍ରୀନିବାସରେ ଥିବା ୧୫ ଜଣ ନାବାଳିକା ଛାତ୍ରୀ ପ୍ରଧାନଶିକ୍ଷକଙ୍କ ଭୟରେ ହଷ୍ଟେଲ ଛାଡି ନିକଟସ୍ଥ ବେଲଦା ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରକୁ ଯାଇ ସେଠାରେ ଆତ୍ମଗୋପନ କରିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ଘଟଣାର ସମସ୍ତ ବୃତାନ୍ତ ଜାଣିବା ପରେ ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ଖବର ଦେବା ସହିତ ବାମେବାରୀ ପୋଲିସକୁ ଲିଖିତ ଭାବେ ଜଣାଇଥିଲେ । ଥାନାରେ ଲିଖିତ ଅଭିଯୋଗ ହେବା ପରେ ବାମେବାରୀ ପୋଲିସ କେଶ୍ ନଂ ୧୫୭/୧୫/୧୧/୨୦୧୯ ଦଫା ୩୫୪(ଏ), ୫୦୬ ଆଇପିସି , ୧୦,୧୨ ପୋକ୍ସୋ ଆକ୍ଟ ରୁଜୁ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିବା ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳର ଅଭିଭାବକ ମହଲରେ ଏକ ଆଲୋଡନ ସୃଷ୍ଟି ହୋଇଛି । ଯୋଡା ବ୍ଲକ ପକ୍ଷରୁ ଅତି ତରବରିଆ ହୋଇ ଶୁକ୍ରବାର ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ପ୍ରତି ବଦଳରେ ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଚିଠି ନଂ ୧୭୩୫. ତା ୧୫/୧୧/୨୦୧୯ ରିଖ ରେ ଚିଠି କରି ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ଏବଂ ଛାତ୍ରୀନିବାସର ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଯୋଡା ବ୍ଲକର ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଚମ୍ପୁଆ ଶିକ୍ଷାଧିକାରୀ ଗୋବର୍ଦ୍ଧନ ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ନାବାଳିକା ଛାତ୍ରୀମାନଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଯୋଗ୍ୟ କି ଉକ୍ତ ବିଦ୍ୟାଳୟର ଛାତ୍ରିନିବାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପ୍ରାୟ ୩୮ ଜଣ ଛାତ୍ରୀ ରହନ୍ତି । ଏତେ ସଂଖ୍ୟକ ନାବାଳିକା ଛାତ୍ରୀମାନେ ଛାତ୍ରୀ ନିବାସରେ ରହୁଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମହିଳା ପାଚିକା ନିଯୁକ୍ତ କରିବା ପରିବର୍ତେ କାହିଁକି ପୁରୁଷ ରୋଷେୟା ନିଯୁକ୍ତ କରାଯାଇଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ ତଥା ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ତେଣେ ଯୋଡା ଥାନା ମହିଳା ସବଇନ୍ସପେକ୍ଟର ସାଗରିକା ମହାନ୍ତି ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଛାତ୍ରୀମାନଙ୍କର ବୟାନ ରେକର୍ଡ କରିଛନ୍ତି ଏବଂ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ମଧ୍ୟ ବିଦ୍ୟାଳୟକୁ ଯାଇ ଏହି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ