ଜରାଜୀର୍ଣ୍ଣ ଅବସ୍ଥାରେ ଥାନା କାର୍ଯ୍ୟାଳୟ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା କାର୍ଯ୍ୟାଳୟଟି ଆଜକୁ ପ୍ରାୟ ୧୩ବର୍ଷ ତଳେ ନିର୍ମାଣ କରାଯାଇଥିଲା । ଏହାମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେବି ସେହି ଗୃହର ଆବଶ୍ୟକ ମରାମତି କରାଯାଉନଥିବା ଯୋଗୁଁ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ଦେଖିବାକୁ ମିଳିଛି । ଥାନା କାର୍ଯ୍ୟାଳୟ ବାହାରପଟ କାନ୍ଥରୁ ରଙ୍ଗ ଛାଡି ଯାଇ ସିମେଂଟ ଖଣ୍ଡ ସବୁ ଖସିବାକୁ ଲାଗିଲାଣି । ଏହି କାର୍ଯ୍ୟାଳୟର ତୁରନ୍ତ ମରାମତି କରାନଗଲେ ସେହି ଥାନା କାର୍ଯ୍ୟାଳୟ ଗୃହଟି ଧିରେ ଧିରେ ନଷ୍ଟ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ -୧ ଅଧିନରେ ଆସୁଥିବା ଏହି ଥାନା ଗୃହଟିର ଅବିଳମ୍ବେ ମରାମତି କରାଯିବାର ଆବଶ୍ୟକତା ରହିଛି । ଏସମ୍ପର୍କରେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ପଚରାଯିବାରେ ସେ କୁହନ୍ତି ଯେ ଏସମ୍ପର୍କରେ ଶ୍ରୀ ମଲ୍ଲିକ ସଂପୃକ୍ତ ବିଭାଗକୁ ବାରମ୍ବର ଚିଠି ଲେଖିଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଇଦିଆଯାଇଛି ଓ ଆରକ୍ଷୀ ଅଧିକ୍ଷକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ବିଭାଗକୁ ପତ୍ର ଲେଖିଛନ୍ତି । କିନ୍ତୁ ଏସବୁ ପରେବି ବିଭାଗ ଚୁପ ହୋଇ ବସିପଡିବା ଆଶ୍ଚର୍ଯ୍ୟ ଚକିତ କରିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଏହି ଥାନା କାର୍ଯ୍ୟାଳୟ ଗୃହଟି ମରାମତି ଅଭାବରୁ ଯଦି ଭାଙ୍ଗିପଡେ ସେଥିପାଇଁ କିଏ ଦାୟୀ ରହିବ ? କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ସଦର ଥାନା କାର୍ଯ୍ୟାଳୟ ଗୃହଟିର ତୁରନ୍ତ ମରାମତି ଓ ରଙ୍ଗ କରାଯିବା ନିମନ୍ତେ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ – ୧ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଏଥିପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ