ଜଳ ସୁରକ୍ଷା ଜାତୀୟ ଆଲୋଚନାଚକ୍ର ଓ ପରିବେଶ ରତ୍ନ ସମ୍ମାନ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ‘ଜଳ ବଞ୍ଚାଅ, ପ୍ରତ୍ୟେକ ଜଳବିନ୍ଦୁ ମହତ୍ୱପୂର୍ଣ୍ଣ’ ଶୀର୍ଷକ ଏକ ଜାତୀୟସ୍ତର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ କହିଲେ ଯେ, ପ୍ରାକୃତିକ ସମ୍ପଦ ଜଳର ଉପଲବ୍ଧତା ଦିନକୁ ଦିନ କମିବାରେ ଲାଗୁଛି । ଏହି ପରିପ୍ରେକ୍ଷୀରେ ଜଳର ସଠିକ୍ ପରିଚାଳନା ଓ ସଂରକ୍ଷଣ ସାରା ପୃଥିବୀବାସୀଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଏ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଏପରି ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିତ୍ତ ଉପଦେଷ୍ଟା ତଥା ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର କହିଲେ ଯେ, ଜଳର ଉପାଦେୟତା ସଭିଏଁ ଅନୁଭବ କରୁଥିଲେ ମଧ୍ୟ ତାହାର ସଠିକ ବିନିଯୋଗ ତଥା ସଂରକ୍ଷଣ ପାଇଁ ଆବଶ୍ୟକୀୟ ଧ୍ୟାନ ଦେଉ ନାହାଁନ୍ତି । ଏଣୁ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନ ତଥା ପରିବେଶପ୍ରେମୀ ଓ ଜନସାଧାରଣ ନିଷ୍ଠାପର ଭାବେ ଆଗେଇ ଆସି ଜଳ ସଂରକ୍ଷଣକୁ ଲୋକାଭିମୁଖୀ କରିବାକୁ ମତ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସହରାଞ୍ଚଳ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀ ଯୋଗଦେଇ ପରିବେଶର ଗୁରୁତ୍ୱପୂର୍ଣ୍ଣ ପ୍ରଭାଗ ଜଳର ଆବଶ୍ୟକତା, ଉପଯୋଗିତା ସମ୍ବନ୍ଧରେ ତଥ୍ୟ ରଖିବା ସହ ବୈଜ୍ଞାନିକ ପ୍ରଣାଳୀ ଆଧାରରେ ସଠିକ୍ ସଞ୍ଚାଳନ କରିବା ଏକ ସମୟ ଉପଯୋଗୀ ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜଳ ସୁରକ୍ଷା ସମ୍ପର୍କିତ ଏକ ସ୍ମାରକୀ ସଙ୍କଳନ ‘ଇକୋ କନେକ୍ଟ-୨୦୨୨’ ଏବଂ ‘ଜବ୍ ସର୍ଚ୍ଚ ସିକ୍ରେଟ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିସହିତ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ‘ପରିବେଶ ରତ୍ନ’ ସମ୍ମାନରେ ଅଳଙ୍କୃତ କରାଯାଇଥିଲା ଏବଂ ଜୀବନବ୍ୟାପୀ ସମାଜସେବା ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଇଂ ବିପିନ ବିହାରୀ ନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଯୋଗଦେଇ ପରିବେଶ ବିଜ୍ଞାନୀ ପ୍ରଫେସର ଡଃ ଜୟକୃଷ୍ଣ ପାଣିଗ୍ରାହୀ ଏବଂ ଡଃ ପ୍ରମୋଦ କୁମାର ପଣ୍ଡା ସେମାନଙ୍କର ସାରଗର୍ଭକ ସନ୍ଦର୍ଭ ଉପସ୍ଥାପିତ କରିବା ସହ ଏହି ପ୍ରାକୃତିକ ସମ୍ପଦ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ତଥା ପରିଚାଳନାଗତ ପ୍ରଣାଳୀ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସର୍ବୋପରି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ବିିପିନ ବିହାରୀ ମିଶ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦଳର ମହତ୍ତ୍ୱ ତଥା ଉପଲବ୍ଧତା ବୃଦ୍ଧି ପାଇଁ ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହ ଆୟୋଜକ ମାଇଥନ ପାୱାର ଲିମିଟେଡ଼ର ବରିଷ୍ଠ ଅଧିକାରୀ ସନ୍ଦୀପ ଖେଡ଼ୱାଲ ବିଶେଷ ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣ କରାନଗଲେ ଆମର ପରବର୍ତ୍ତୀ ପିଢି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ଚୌଧୁରୀ, ବ୍ରହ୍ମାକୁମାରୀ ଅପର୍ଣ୍ଣା ଭଉଣୀ, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ପ୍ରାକ୍ତନ ସଭାପତି ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବ ପରିଚାଳନାରେ ସର୍ବଶ୍ରୀ ମିଲନ କୁମାର ପ୍ରଧାନ, ବଳାକୃଷ୍ଣ ରାଉତ, ଦିବ୍ୟଜ୍ୟୋତି ସାହୁ, ପ୍ରିୟଦର୍ଶନ ମହାପାତ୍ର, ରବୀନ୍ଦ୍ରନାଥ ରାଉତରାୟ ପ୍ରମୁଖ ସହାୟତା କରିଥିଲେ । ଡଃ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


