ଜାତୀୟ କର୍ମଶାଳାରେ ଯୋଗଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ରେ ଆୟୋଜିତ ଜନଯୋଜନା ଅଭିଯାନ ୨୦୨୪- ୨୫ ଜାତୀୟ କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୪୦୦ରୁ ଅଧିକ ସରକାରୀ ଅଧିକାରୀ ଓ ଗ୍ରାମପଞ୍ଚାୟତ ସ୍ତରୀୟ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାରୁ ଯୋଗଦେଇଥିବା ୧୦ ପ୍ରତିନିଧି ଯୋଗଦେଇଥିବା ବେଳେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଯୋଗଦେଇ ପଞ୍ଚାୟତ ଗୁଡ଼ିକର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥଲେ। ପଞ୍ଚାୟତ ଗୁଡ଼ିକର ନିଜସ୍ଵ ପାଣ୍ଠି ବୃଦ୍ଧି ପାଇଁ ପ୍ରତି ପଞ୍ଚାୟତ ରେ ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ପଞ୍ଚାୟତ ଅଧୀନ ଲୋକମାନେ ସ୍ୱଳ୍ପ ମୂଲ୍ୟରେ ଏହି ମଣ୍ଡପ ଗୁଡ଼ିକ ବ୍ୟବହାର କରି ବିବାହ ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ କରିବା ସହ ପଞ୍ଚାୟତ ପାଣ୍ଠି ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ସେହିପରି ପ୍ରତି ଜିଲ୍ଲା ପରିଷଦ ଜୋନ୍ ମାନଙ୍କରେ ବରିଷ୍ଠ ନାଗରିକ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେହିପରି ପଞ୍ଚାୟତ ର ପ୍ରତି ଗ୍ରାମର ରାସ୍ତା ଗୁଡ଼ିକୁ କଂକ୍ରିଟ ରାସ୍ତାରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କର୍ମଶାଳାରେ କେନ୍ଦ୍ର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂହ ବାଘେଲା ଯୋଗଦେଇ ଦେଶର ପଞ୍ଚାୟତଗୁଡିକର ବିକାଶ ଯୋଜନାକୁ ନେଇ ଅକ୍ଟୋବର ୨ରେ ଆରମ୍ଭ ହେବାକୁ ଥିବା ଜନଯୋଜନା ଅଭିଯାନ ୨୦୨୪- ୨୫ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ, ଏହି ମନ୍ତ୍ର ସହିତ ପଞ୍ଚାୟତସ୍ତରୀୟ ଜନ ପ୍ରତିନିଧିମାନଙ୍କୁ ବିକାଶମୂଳକ କାର୍ଯ୍ୟପାଇଁ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଥିଲେ ।


