ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତା‘ବିନ୍ୟାସ -୨୦୨୩’ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହଯୋଗରେ ବାଲେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ନେଚର କିୟର ଏଣ୍ଡ ଯୋଗିକ୍ ସାଇନ୍ସ ଦ୍ୱାରା ପରିଚାଳିତ ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ପକ୍ଷରୁ ଚାଲିଥିବା ଦୁଇଦିନିଆ ଜାତୀୟସ୍ତରୀୟ ଯୋଗ ପ୍ରତିଯୋଗିତା ‘ବିନ୍ୟାସ -୨୦୨୩’ ଉଦଯାପିତ ହୋଇଯାଇଛି । ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଆୟୋଜକଙ୍କୁ ସାଧୁବାଦ ଓ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ଆପଣେଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶ୍ରୀ ଜେନା ସ୍ୱୟଂ ଯୋଗାଭ୍ୟାସ ପ୍ରଦର୍ଶନ ସହ ପ୍ରାତଃକାଳରେ ଯୋଗା ପ୍ରାଣାୟମ କରିବାକୁ ପରାମର୍ଶ ଦେଇଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାରୀରିକ ସୁସ୍ଥତା ସହିତ ମନକୁ ସ୍ଥିର ଏବଂ ଶାନ୍ତ ରଖିବା ପାଇଁ ଯୋଗ ପ୍ରାଣାୟମ ଏକାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ସମିତି ସଭ୍ୟା ଶାନ୍ତା ଦାସ, ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜଯୋଗ ମେଡିଟେସନ ବିଭାଗର ଭଉଣୀ ଶୁଭଶ୍ରୀ ଓ ବାଲେଶ୍ୱର ଯୋଗ ସମିତିର ସମ୍ପାଦକ ସୁଜିତ ଜେନା ପ୍ରମୁଖ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ରଶ୍ମିକାନ୍ତ ଜଟାନିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଅଭିଷେକ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।


