ବାଲେଶ୍ୱରରେ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି କ୍ରମେ ବୁଧବାରଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ-୧) ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେଉଛି । ପ୍ରଥମ ଦିନରେ ଆଜି ଛାତ୍ରଛାତ୍ରୀମାନେ ଦ୍ୱିତୀୟ ଭାଷା ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି । ଏହି କ୍ରମରେ ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ପକ୍ଷରୁ ୧୮୪ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି । ଜିଲାର ମୋଟ ୩୦,୫୧୦ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏସଏ-୧ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ । ଏନେଇ ଜିଲାରେ ୧୨ ଗୋଟି ନୋଡାଲ ସେଣ୍ଟର ସ୍ଥାପନ କାଯାଇଛି । ନୋଡାଲ ସେଣ୍ଟରରୁ ନିରାପତ୍ତା ବଳୟ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିଥିଲା । ପରୀକ୍ଷା ପରେ ଉତ୍ତର ଖାତା ମଧ୍ୟ ନୋଡାଲ ସେଣ୍ଟରରେ ଜମା ରଖାଯାଉଛି । ୮୦ ମାର୍କରେ ହେଉଥିବା ଏହି ପରୀକ୍ଷାରେ ଅଧଘଣ୍ଟାଏ ପୂର୍ବରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ ସହ ସେମାନଙ୍କଠାରୁ ମୋବାଇଲ ଫୋନ, କପି ଆଦିକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜବତ କରୁଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରରେ ପରୀକ୍ଷକ ଦାୟିତ୍ୱ ତୁଲାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ମୋବାଇଲ ବ୍ୟାନ କରାଯାଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କପି ରୋକିବା ପାଇଁ ୪ଟି ଫ୍ଲାଇଂ ସ୍କ୍ୱାର୍ଡ଼ ଓ ୨ ଗୋଟି ସ୍ପେଶାଲ ସ୍କ୍ୱାର୍ଡ଼ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ ସହ ଯାଞ୍ଚ ଚଳାଇଥିବା ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ସୂଚନା ଦେଇଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଏସଏ-୧ ପରୀକ୍ଷା ଚାଲିବ ବୋଲି ସେ କହିଛନ୍ତି ।


