ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟାସ୍କ ଫୋର୍ସ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ପକ୍ଷରୁ ଭୃଣ ନିରୂପଣ ଆଇନ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଓ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଋତୁରାଜ ବେଆଇନ ଲିଙ୍ଗ ନିରୂପଣ ତଥା ଜିଲ୍ଲାରେ ଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡିକ ନିୟମିତ ନିରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ ଭୃଣହତ୍ୟା ଏକ ଦଣ୍ଡନୀୟ ଅପରାଧ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୧୪ ଗୋଟି ଅଲ୍ଟ୍ରାସାଉଣ୍ଡ କ୍ଲିନିକଗୁଡିକ ଆଇନ ଅନୁଯାୟୀ କାର୍ଯ୍ୟ କରୁଥିବା ବେଳେ ପିସି ଏବଂ ପିଏନଡିଟି ଆଇନ ଉଲଙ୍ଘନ ଯୋଗୁଁ ୨ଟି କ୍ଲିନିକ ସିଲ କରାଯାଇଥିବା ବେଳେ ୪ଟି କ୍ଲିନିକ ଅନ୍ୟ କାରଣ ଯୋଗୁଁ ବନ୍ଦ ହୋଇଯାଇଛି ବୋଲି ଡା. ପଟ୍ଟନାୟକ ପ୍ରକାଶ କରିଥିଲେ । ଜିଲ୍ଲା ସ୍ତରରେ ଶିଶୁ କନ୍ୟା ଲିଙ୍ଗ ଅନୁପାତ ହାର ବୃଦ୍ଧି କରିବାକୁ ସ୍ୱେଚ୍ଛାସେବୀ ବିରଜା ପ୍ରସାଦ ପତି ଗୁରୁତ୍ୱାରୋପ କରିଥିଲେ । ଶିଶୁ କନ୍ୟା ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ଆବଶ୍ୟକତା ରହିଛି ବୋଲି ବୈଠକରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ୧୫ ବର୍ଷରୁ ୧୮ ବର୍ଷ ପିଲାମାନଙ୍କୁ କୋଭାକ୍ସିନ କୋଭିଡ ଟୀକାକରଣ ଆସନ୍ତା ଜାନୁଆରୀ ୩ତାରିଖ ଠାରୁ ଆରମ୍ଭ କରାଯିବା ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି । ସମଗ୍ର ଜିଲ୍ଲାରେ ପ୍ରଥମ ଡୋଜ୍ କୋଭିଡ ଟୀକାକରଣ ହାର ୯୦ ପ୍ରତିଶତ ଥିବା ବେଳେ ଦ୍ୱିତୀୟ ଡୋଜ୍ ଟୀକାକରଣ ମାତ୍ର ୫୯ ପ୍ରତିଶତ ସଫଳତା ପ୍ରାପ୍ତ ହୋଇଛି । ଏହି ଟୀକାକରଣ ହାରକୁ ଶତ ପ୍ରତିଶତ ସଫଳ କରିବାକୁ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ସମ୍ପୃକ୍ତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର ମତ ଦେଇଥିଲେ । ୧୮ ବର୍ଷରୁ ୬୦ ବର୍ଷ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବାର ୩୯ ସପ୍ତାହ ପରେ କୋଭିସିଲ୍ଡ ଟୀକା ଆସନ୍ତା ଜାନୁଆରୀମାସ ୧୦ ତାରିଖରୁ ପ୍ରଦାନ କରାଯିବ । ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜିଲ୍ଲା ପରାମର୍ଶଦାତା ଡା. ଅର୍ଚ୍ଚନା ଗାଏନ, ଡା. ପି. କେ ବେହେରା, ପ୍ରକାଶ ବାନାର୍ଜୀ, ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ କୃଷ୍ଣଚନ୍ଦ୍ର ଲୋହା, ବିଭିନ୍ନ ସି.ଏଚ.ସି.ର ସୁପରିଟେଣ୍ଡେଣ୍ଟ ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଡାଟା ମ୍ୟାନେଜରଙ୍କ ସହ ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଡା. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ