ଜିଲ୍ଲା କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା କେମିଷ୍ଟି ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ରେଣୁକା କଲ୍ୟାଣମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ନବ ନିର୍ବାଚିତ କାର୍ଯ୍ୟକାରିଣୀ ପରିଷଦର ୩୨ଜଣ ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ସାଧାରଣ ସଦସ୍ୟମାନେ ଏଥିରେ ଯୋଗଦେଇ ସଂଗଠନର ଆଗାମୀ ଦିନର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପ୍ରଥମ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୨-୨୫ ବର୍ଷ ପାଇଁ ସଂଗଠନର ସଭାପତି ଓ ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବେ ଉମାକାନ୍ତ ମହାପାତ୍ର ଓ ସମ୍ପାଦକ ଭାବେ ଅକ୍ଷୟ କୁମାର ବେହେରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ପରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ଅନଲାଇନ ଔଷଧ ବିକ୍ରୟକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରାଯାଇଥିଲା ।ଏହି ଅନଲାଇନ କାରବାର ଯୋଗୁଁ ଔଷଧର ଗୁଣବତ୍ତା ହ୍ରାସ ପାଇବା ସହ ଔଷଧ ବିକ୍ରୟ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଦୋକାନୀ ଓ କର୍ମଚାରୀଙ୍କ ଜୀବନ ଜୀବିକା ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହେବ ବୋଲି ସଦସ୍ୟମାନେ କହିଥିଲେ । ଅନଲାଇନ ଔଷଧ ବିକ୍ରୟ ବନ୍ଦ ପାଇଁ ଭାରତ ସରକାର ଙ୍କ ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ, ଓଡ଼ିଶା ସରକାରଙ୍କ ଡ୍ରଗ କଣ୍ଟ୍ରୋଲରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପାଇଁ ନିଷ୍ପତ୍ତି ନିଆଯଇଥିଲା । ଏଥି ସହିତ ସ୍ଥାନୀୟ ଲୋକସଭା ରେ ଏଥି ସମ୍ପର୍କିତ ପ୍ରଶ୍ନ ଉତ୍ଥାପନ ନିମନ୍ତେ ସାଂସଦକୁ ଦାବି ପତ୍ର ପ୍ରଦାନ ପାଇଁ ବୈଠକରେ ଧାର୍ଯ୍ୟ ହୋଇଥିଲା । ଚନ୍ଦନ କୁମାର ବେହେରା, ନିକୁଞ୍ଜ କିଶୋର ମହାନ୍ତି, ପ୍ରଦୀପ କୁମାର ପାଢୀ, ଅତୁଲ ଶତପଥୀ, ନିରୋଜ କୁମାର ସାହୁ ପ୍ରମୁଖ ବୈଠକ ପରିଚାଳନା କରିଥିଲେ ।


