ଜୀବିତ ମହିଳାଙ୍କୁ କାଗଜ କଲମରେ ମୃତ ଦର୍ଶାଇ ଭତ୍ତା ବନ୍ଦ କରିଦେଲେ

ହାଟଡିହିି, (ବିକାଶ ବିଶ୍ୱାଳ):ଜୀବିତ ମହିଳାଙ୍କୁ କାଗଜ କଲମରେ ମୃତ ଦର୍ଶାଇ ଭତ୍ତା ବନ୍ଦ କରିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ସଙ୍ଗମ ଗ୍ରାମରେ । ଗ୍ରାମର ବିମଳିନୀ ପରିଡାଙ୍କ ସ୍ୱାମୀ ବାବାଜି ପରିଡା ୩୦ବର୍ଷ ପୁର୍ବେ ମୃତୁ୍ୟବରଣ କରିଥିଲେ । ସ୍ୱାମୀଙ୍କ ମୃତୁ୍ୟପରେ ବିମଳିନୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଯୋଗାଇ ଦିଆଯାଉଥିଲା । ଆଗରୁ ନଗଦ ଆକାରରେ ପଞ୍ଚାୟତରୁ ଭତ୍ତା ପାଉଥିବାବେଳେ ଗତ କିଛିମାସ ହେବ ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ଠିକ ଭାବେ ମଧ୍ୟ ଯାଉଥିଲା । କିନ୍ତୁ ଗତ ୫ମାସ ହେଲା ଭତ୍ତା ଟଙ୍କା ନଯିବାରୁ ସେ ବାରମ୍ବାର ପଞ୍ଚାୟତକୁ ଯାଇ ନିରାଶ ହେବାପରେ ବ୍ଲକକୁ ଆସି ବୁଝିବାରୁ ସେ ମୃତୁ୍ୟବରଣ କରିଥିବା ଦର୍ଶାଯାଇ ତାଙ୍କ ଭତ୍ତାକୁ ବନ୍ଦ କରିଦିଆଯାଇଛି ବୋଲି ବ୍ଲକର ଭତ୍ତା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ତାଙ୍କୁ କହିଥିଲେ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ଚକିତ ହେବାସହ କିପରି ଏପରି ହେଲା ବୋଲି ପ୍ରଶ୍ନ କରିବାରୁ କର୍ମଚାରୀମାନେ ପଞ୍ଚାୟତରୁ ଆସିଥିବା ତଥ୍ୟ ଆଧାରରେ କରାଯାଇଥିବା କହିଥିଲେ । ତେଣୁ ଅନ୍ୟ ଏକ ବ୍ୟାଙ୍କରେ ଏକାଉଣ୍ଟ ଖୋଲି ଏକାଉଣ୍ଟ ନମ୍ବର ଦେଲେ ସେହି ଏକାଉଣ୍ଟରେ ଦିଆଯିବ ବୋଲି କହିଥିଲେ । ବିଚରା ହିତାଧିକାରୀ ଜଣକ ପୁନର୍ବାର ଅନ୍ୟ ଏକ ବ୍ୟାଙ୍କରେ ଏକାଉଣ୍ଟ ଖୋଲି କାଗଜପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ତାଙ୍କ ଏକାଉଣ୍ଟକୁ ଯାଉନାହିଁ । ଏପଟେ ବିମଳିନୀଙ୍କ ଘର ଖଣ୍ଡିକ ବ୍ୟତିତ ଅନ୍ୟକିଛି ଜମିବାଡି ନଥିବାରୁ ସେ ପରର ମୁଲ ଲାଗିଲେ ଚଳୁଛନ୍ତି । ଏପରି ପରିସ୍ଥିତିରେ ବଞ୍ଚିଥାଉ ଥାଉ ଜଣେ ବିଧବାଙ୍କୁ ମୃତ ଦେଖାଇ ଭତ୍ତା ବନ୍ଦ କରିଦେବା ବ୍ଲକ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉଚିତ ତଦନ୍ତ କରାଯାଇ ବିଭାଗୀୟ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏ ସମ୍ପର୍କରେ ଢ଼େଙ୍କା ପଞ୍ଚାୟତର ପିିଇଓ ସୁରେଶ କୁମାର ସେଠୀଙ୍କୁ ପଚାରିବାରେ ସେ ଏପରି ତଥ୍ୟ ପଞ୍ଚାୟତରୁ ଦିଆଯାଇ ନାହିଁ ବୋଲି କହିଛନ୍ତି । ଅନ୍ୟବକ୍ଷରେ ବ୍ଲକର ଭତ୍ତା ବିଭାଗର କର୍ମଚାରୀ ରାଜେଶ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ପଞ୍ଚାୟତରୁ ଆସିତôବା ତଥ୍ୟ ଅନୁଯାଇ ଏହି ଭତ୍ତାକୁ ରିଜେକ୍ଟ କରିଦିଆଯାଇଛି । ପୁନର୍ବାର ତାକୁ କାର୍ଯ୍ୟକ୍ଷମ କରିବାକୁ ଆମେ ଜିଲ୍ଲା ଅଫିସକୁ ଚିଠି ଲେଖିଛୁ, ସେଠୁ ଅନୁମୋଦନ ହୋଇ ଆସିଲେ ଭତ୍ତା ଦିଆଯିବ ବୋଲି କହିଛନ୍ତି । ହାଟଡିହି ବ୍ଲକରେ ଗତ କିଛିବର୍ଷ ଭିରେ ଶହଶହ ମଲା ଲୋକଙ୍କ ନାମରେ ବର୍ଷବର୍ଷ ଧରି ଭତ୍ତାଟଙ୍କା ଉଠାଇ ଲକ୍ଷଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗର କୌଣସି ତଦନ୍ତ କରାନଯାଇ ଘଟଣାକୁ ଚାପିଦିଆଯାଇଥିବାବେଳେ ଏବେ ଜଣେ ଜୀବିତ ଲେକଙ୍କୁ କିପରି କାଗଜ କଲମରେ ମୃତ ଦର୍ଶାଇ ଭତ୍ତା ବନ୍ଦ କରାଗଲା ତାହାର ଉପଯୁକ୍ତ ତଦନ୍ତ କରାଯିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ