ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ମହିଳା ଉଦ୍ୟୋଗୀଙ୍କୁ ପୁରସ୍କୃତ

ଯୋଡା, (ସମୀର ଦାସ): ଜିନ୍ଦଲ ଷ୍ଟିଲ ଏଣ୍ଡ ପୱାର ଲିମିଟେଡ୍ (ଜେଏସପିଏଲ)ର ସାମାଜିକ ଶାଖା ଜେଏସପିଏଲ ଫାଉଣ୍ଡେସନର ସହାୟତାରେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ଆୟ କରିବାର ପନ୍ଥା ଦେଖାଇଥିବା ୬୦ଜଣ ଗ୍ରାମୀଣ ମହିଳାଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଛି । କେନ୍ଦୁଝର ଜିଲାର ଦେଓଝର ଏବଂ କଣ୍ଡରା ଗ୍ରାମ ପଂଚାୟତର ଏହି ମହିଳାମାନେ ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଜୀବିକା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ତାଲିକା ପ୍ରାପ୍ତ ହୋଇ ନିଜନିଜ ଅଂଚଳରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତନ ଆଣିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଦିନିକିଆ କାର୍ଯ୍ୟକ୍ରମରେ ୫୦ଜଣ ମହିଳା ଛତୁଚାଷ ବିଷୟରେ ତାଲିମ ନେଇ ଏବଂ ଚାଷରେ ସଫଳ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିବା ସହ ପରିବାର ଆୟକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ସେହିପରି ସିଲେଇ ଦ୍ୱାରା ରୋଜଗାରକ୍ଷମ ହୋଇ ନିଜ ଅଂଚଳରେ ସ୍ୱାବଲମ୍ବୀ ଭାବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିବା ୧୦ଜଣ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ନିଜ ସମ୍ଭାଷଣରେ ଏହି ମହିଳା ଉଦ୍ୟୋଗୀମାନଙ୍କୁ ଶୁଭେଚ୍ଛା ଜଣାଇ ବଡବିଲ ପ୍ଲାଣ୍ଟ ମୁଖ୍ୟ ବ୍ରିଜ ବଦହଦରା କହିଥିଲେ, “ମହିଳା ସଶକ୍ତିକରଣ ସେତେବେଳେ ଆସେ ଯେତେବେଳେ ମହିଳାମାନେ ଆଗକୁ ଆସି ଉଦ୍ୟୋଗୀ ହୁଅନ୍ତି ଏବଂ ପରିବାରର ଅର୍ଥନୈତିକ ନିଷ୍ପତିରେ ନିଜକୁ ସାମିଲ କରନ୍ତି । ମହିଳାମାନଙ୍କୁ ସଶକ୍ତ କରି ସେମାନଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନର ପ୍ରତିଷ୍ଟା ଆଗକୁ ଜାରି ରହିବ ।” ଏହି କାର୍ଯ୍ୟରକ୍ରମର ସମ୍ମାନୀତ ଅତିଥି, ଯୋଡା ବ୍ଲକର ସହକାରୀ କୃଷି ଅଧିକାରୀ ଦମୟନ୍ତୀ ହାଁସଦା ମହିଳାମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କୁ ଆହୁରି ଆଗକୁ ଯିବାପାଇଁ ପ୍ରବର୍ତାଉ ଥିବାରୁ ଜେଏସପିଏଲ ଫାଉଣ୍ଡେସନର ଏହି କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ ବୋଲି କହିଥିଲେ । ପ୍ରଶ୍ନୋତର ଅବସରରେ ନିକଟବର୍ତୀ କୁଲଡୁମ ଗ୍ରାମର ଶ୍ରୀମତୀ ମାଳତୀ ମହାନ୍ତ ନିଜର ସଫଳ କାହାଣୀ ସମସ୍ତଙ୍କ ସମ୍ମୁଖରେ ବଖାଣି ଥିଲେ । “ମୁଁ ପ୍ରଥମରୁ ଭାବିଥିଲି ଛତୁ ଚାଷରୁ ଟଙ୍କାଟିଏ ମଧ୍ୟ ରୋଜଗାର କରି ପାରିବିନି । କିନ୍ତୁ ଜେଏସପିଏଲ ଫାଉଣ୍ଡେସନର ତାଲିମ ମୋର ଚିନ୍ତାଧାରାକୁ ସମ୍ପୂଣ୍ଣ ଭୁଲ୍ ପ୍ରମାଣିତ କରିଥିଲା । ଏବେ ମୁଁ ଏହି ଚାଷରୁ ବର୍ଷକୁ ୪୦ ହଜାର ଟଙ୍କାରୁ ଅଧିକ ଆୟ କରୁଛି” ସେ କହିଲେ । ବଡବିଲ ପ୍ଲାଣ୍ଟର ସିଏସଆର ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବ୍ୟତୀତ ଦେଓଝର ଗ୍ରାମପଂଚାୟତ ସରପଂଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର ପଲେଇ ଏବଂ ସିଏସଆର ବିଭାଗ ମୁଖ୍ୟ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଜେଏସପିଏଲ ଫାଉଣ୍ଡେସନର ଛତୁଚାଷ, ସିଲେଇ, ଲାଖଚାଷ ତଥା ମୃତିକା ଶିଳ୍ପ ଭଳି ବିଭିନ୍ନ ଜୀବିକା ସୃଷ୍ଟିକାରୀ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦ୍ୱାରା ପାଖାପାଖି ଅଂଚଳରେ ଏଯାବତ୍ ୫୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ