ଟ୍ରକ ଧକ୍କାରେ ଜଣେ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଶୁକ୍ରବାର ପୂର୍ବାହ୍ନରେ ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଛକ ନିକଟରେ ଏକ ସିମେଂଟ ବୋଝେଇ ଟ୍ରକ(ଓଆର୦୭ଏଚ୍ ୦୮୮୩) ଧକ୍କାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ବେଗୁନିଆପଡ଼ା ଅଂଚଳର ଦିଲ୍ଲିପ ପଟ୍ଟନାୟକ (୫୦) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଯୁବକ ଜଣକ ସ୍ଥାନୀୟ ପୌରାଂଚଳ ମାଣିକନଗର ଅଂଚଳର ଜଣେ ସର୍ମ୍ପକୀୟଙ୍କ ଘରକୁ ଆସିବା ସକାଶେ ରାସ୍ତା ପାର କରୁଥିବା ବେଳେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ସିମେଂଟ ବୋଝେଇ ଟ୍ରକଟି ଯୁବକଙ୍କୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛନ୍ତି |


