ଟ୍ରିଷ୍ଟ ବେକରୀ ଓ କେଫ ବୁଲିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଗୁଲନଗର ଦଣ୍ଡାମୁଣ୍ଡ ଛକନିକଟରେ ନୂତନ ଭାବେ ଖୋଲିଥିବା ଟ୍ରିଷ୍ଟ ବେକରୀ ଓ କେଫକୁ ବୁଲି ଦେଖିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ । କରୋନା ମହାମାରୀ ସମୟରେ ରାଜ୍ୟ ଏବଂ ଦେଶ ବାହାରୁ ନିଜ ନିଜ ଘରକୁ ଫେରି ଆସିଥିବା ପ୍ରବାସୀମାନଙ୍କୁ କାର୍ଯ୍ୟ ଯୋଗାଇଦେବା ଉଦେଶ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟର ୨ୟବର୍ଷ ଛାତ୍ର ଭାବେ ଅଧ୍ୟୟନରତ ସେକ ଦିଲସାଦ ଆରମ୍ଭ କରିଛନ୍ତି ଏହି “ଟ୍ରିଷ୍ଟ ବେକରୀ ଓ କେଫ” । ପ୍ରବାସୀମାନେ କାମଧନ୍ଦା ନପାଇ ନିଜ ପରିବାରକୁ ଚଳାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ତାଙ୍କ ମନକୁ ଏହି ଅଭିନବ ପରିକଳ୍ପନା ଆସିଥିଲା । ସେହି ପରିକଳ୍ପନାକୁ ସାକାର କରିବା ଉଦେଶ୍ୟରେ ସେ ଏହି “ଟ୍ରିଷ୍ଟ ବେକରୀ ଓ କେଫ” ଖୋଲି ପ୍ରବାସୀଙ୍କୁ କାମ ଯୋଗାଇ ଦେଇଛନ୍ତି । ଏଥିପାଇଁ ଦିଲସାଦ ତାଙ୍କ ସାଙ୍ଗସାଥି, ଭାଇ ଓ କିଛି ବନ୍ଧୁଙ୍କ ସହାୟତାରେ ଆରମ୍ଭ କରିଥିଲେ ଏହି ଯୋଜନା ଯେଉଁଥିରେ ଏବେ ଏକ ସଙ୍ଗେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ପ୍ରାୟ ୨୦ଜଣ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ସହ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ପାରିଛନ୍ତି ଦିଲସାଦ । ଦିଲସାଦଙ୍କ ଏହି କାର୍ଯ୍ୟକୁ ପ୍ରସଂଶା କରିବା ସହ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନାୟକ । ଶ୍ରୀ ନାୟକଙ୍କ ସହ ସାମ୍ବାଦିକ ସେକ ଆସିକୁଦ୍ଦିନ ମଧ୍ୟ ସେଠାରେ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।


