ଡକାୟତି ଉଦ୍ୟମ ପଣ୍ଡ : କାକଟପୁର ପୋଲିସ ଦ୍ୱାରା ୪ ଡକାୟତ ଗିରଫ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ନିକଟସ୍ଥ ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଯୁବକ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବାବେଳେ କାକଟପୁର ପୋଲିସର ପେଟ୍ରୋଲିଙ୍ଗ ଟିମ ହାବୁଡ଼ରେ ପଡ଼ିଥିଲେ । କାକଟପୁର ଥାନା ଏଏସ ଆଇ ପ୍ରମୋଦ ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଡକାୟତ ମାନଙ୍କ ଉପରେ ସେମାନଙ୍କ ନଜର ପଡିଥିଲା।ପୋଲିସକୁ ଦେଖି ଚାରି ଜଣ ଡକାୟତ ଖସି ଯିବାପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ନିକଟରୁ ୨ ଟି ଖଣ୍ଡା, ୨ ଟି ଲୁହା ରଡ଼, ଚାରି ଟି ମୋବାଇଲ ଓ ୨ ଟି ମୋଟରସାଇଲେ ଜବତ କରାଯାଇଛି।ଗିରଫ ଡକାୟତ ମାନେ ହେଲେ କଟକଣାର ସେକ ମୁକ୍ତାର, ସେକ ଜାହିର, ତସଲିମ ଖାନ ଓ ଭଣ୍ଡାଘରର ସୋହେବ ଖାନ।ପୋଲିସ ଏ ସଂକ୍ରାନ୍ତରେ କେଶ ନମ୍ବର 79/2022 ଆଇପିସି 399,402 ଧାରାରେ ଏକ ମାମଲା ରୁଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରିୟ ରଞ୍ଜନ ନାୟକ ସୂଚନା ଦେଇଛନ୍ତି ।


