କାମୁଡା ମାଙ୍କଡ ପାଇଁ ରାସ୍ତା ଅବରୋଧ
ଜଗତସିଂହପୁର, (ଅନସୂୟା ରାଉତ) :-ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ପଞ୍ଚାୟତ ନାରଦିଆ ଗ୍ରାମରେ ଏକ ପାଗଳ ମାଙ୍କଡ ଆତଙ୍କ ସୃଷ୍ଟି କରିଛି । ତିନି ଦିନ ହେବ କୁଆଡୁ ଆସି ମାଙ୍କଡଟିଏ ପାଖାପାଖି ୭୦ଜଣ ଲୋକଙ୍କୁ କାମୁଡି ଖଣ୍ଡିଆ ଖାବଡା କରିଥିବାର ଅଭିଯୋଗ ହେଉଛି । ନାରଦିଆ ଗ୍ରାମ ବାସୀଙ୍କ ମନରେ ଭୟ ଓ ଆତଙ୍କ ଖେଳି ଯାଇଛି । ମାଙ୍କଡ ଭୟରେ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଯାଇପାରୁନାହାନ୍ତି। ବାତ୍ଯା ହେବା କଥା ଶୁଣି ଚାଷୀଭାଇ ନିଜ ବିଲ ବାଡିକୁ ଯାଇ ପାରୁ ନାହାନ୍ତି । ମାଙ୍କଡ ଭୟରେ କେହି ବିଲରୁ ଶଖିଲା ମୁଗ ଉପାଡି ପାରୁ ନାହାନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଆସିଥିଲେ ମଧ୍ୟ ମାଙ୍କଡ ସେମାନଙ୍କୁ କାମୁଡି ଗୋଡାଉଛି । ଶେଷରେ ପ୍ରଶାସନ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇ ନାରଦିଆ ଗ୍ରାମବାସୀ କଣିଆ ବୋରିନା ରାସ୍ତାର ନାରଦିଆ ଠାରେ ଆଜି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଜଗତସିଂହପୁର ଜିଲ୍ଲା ପ୍ରଶାସନ କାମୁଡା ମାଙ୍କଡକୁ ଘଉଡାଇବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।


