ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ସମ୍ପର୍କ ସେତେ ନିବିଡ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର କେତେକ ପଞ୍ଚାୟତରେ ତିନି ପ୍ରମୁଖ ଦଳର ସମର୍ଥନ ନେଇ ନିର୍ବାଚନ ଲଢ଼ୁଥିବା ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ନିର୍ବାଚନ ପ୍ରଚାର ଏବେ ଜୋର ଧରିବାରେ ଲାଗିଛି । ବ୍ଲକର ରାଜେନ୍ଦ୍ରପୁର ପଂଚାୟତ ଠାରେ ଆଜି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ମାଝୀ ଓ ସମିତିସଭ୍ୟା ପ୍ରାର୍ଥୀନୀ ସରୋଜିନୀ ପରିଡା ଜିଲ୍ଲା ପରିଷଦ ପ୍ରାର୍ଥୀ ବଦ୍ରିନାରାୟଣ ରାଉତଙ୍କ ସହିତ ମିଶି ପ୍ରଚାରକୁ ଜୋରଦାର କରିଛନ୍ତି। ଏଥିରେ ବିଜେଡି ନେତା ଜଗନ୍ନାଥ ଭାରତୀ, ବିନୋଦ ବିହାରୀ ରାଉତ, ପ୍ରସନ୍ନ କୁମାର ସାହୁ, ଅନନ୍ତ କିଶୋର ଜେନା, ଦେବେନ୍ଦ୍ର ସାହୁ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ତେସିଙ୍ଗା ପଂଚାୟତ ତୁଳପଦି ଠାରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଧନେଶ୍ୱର ଖୁଣ୍ଟିଆ, ସମିତିସଭ୍ୟା ପ୍ରାର୍ଥୀନୀ ଜ୍ୟୋତିସ୍ମିତା ସାହୁ ପ୍ରଚାରକୁ ଆଗେଇ ନେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ନେଇ ପ୍ରଚାର ଜୋରଦାର ହୋଇଥିବା ବେଳେ ଏଥିରେ ପଂଚାୟତ ସଭାପତି ଦୟାନିଧି ପଣ୍ଡା, ପ୍ରାକ୍ତନ ସରପଞ୍ଚ ହୃଦାନନ୍ଦ ଜେନା, ମହେଶ୍ୱର ଲେଙ୍କା ପ୍ରମୁଖ ସାମିଲ ହୋଇଛନ୍ତି। ସେହିଭଳି ୨୨ନଂ ଜୋନ କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ରମେଶ ଭାରତୀଙ୍କ ସହିତ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରଶ୍ମିତା ନାୟକ ଓ ଲିଲିଲତା ଜେନା କୁଶଗଡ଼ିଆ ଠାରେ ପ୍ରଚାରକୁ ଜୋରଦାର କରିଛନ୍ତି। ପଂଚାୟତ ସ୍ତରୀୟ ନେତା ସୁବାଶିଷ ନାୟକ, ଶ୍ୟାମ ସେନାପତି, ଯୋଗେନ୍ଦ୍ର ନାୟକ ଏଥିରେ ସାମିଲ ଥିଲେ। ଦକ୍ଷିଣ ବାଡ଼ ପଂଚାୟତ ଠାରେ ଯୁବନେତା ବିଜୟ ଶଙ୍କର ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଧରିତ୍ରୀ ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଟ୍ଵିଙ୍କିଲ ପ୍ରଭା ନାୟକ ସାହିକୁ ସାହି ବୁଲି ପ୍ରଚାର କରିବା ସହ ଭୋଟ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ କର୍ମୀ ସନ୍ତୋଷ ସାହୁ, କମଳା ଜେନା, ରାଜୀଵ ବିଶ୍ୱାଳ, ନିଗମାନନ୍ଦ ଜେନା, ଜିତେନ୍ଦ୍ର ସାହୁ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି। ଅନୁରୂପ ଭାବେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ପ୍ରିୟତମା ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ସତ୍ୟବ୍ରତ ଦାସ ପଂଚାୟତର ୧୪ଗୋଟି ୱାର୍ଡ ବୁଲି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ସହ ଭୋଟ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏଥିରେ ତରଣୀସେନ ଜେନା, କଳ୍ପନା ସେଠୀ, ମନୋଜ କୁମାର ମହାନ୍ତି, ଧରଣୀ ଧର ଜେନା, ସମୀର ଦାସ, ସୁଧାଂଶୁ ଶେଖର ଦାସ, ମଦନ ମୋହନ ସାହୁ, ମନୋଜ ଜେନା,ବିଜୟ ଜେନା ପ୍ରମୁଖ ସାମିଲ ହୋଇଛନ୍ତି। ସେହିଭଳି ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ବାସନ୍ତୀ ଜେନା ଓ ସମିତିସଭ୍ୟା ପ୍ରାର୍ଥୀନୀ ପ୍ରମିଳା ସେଠୀ ରାଜେନ୍ଦ୍ରପୁର ପଂଚାୟତର ବିଭିନ୍ନ ୱାର୍ଡରେ ପ୍ରଚାର କରିଛନ୍ତି । ଏଥିରେ ମହିଳା ନେତ୍ରୀ ତପସ୍ୱିନୀ ମହାପାତ୍ର, ତରଣୀସେନ ପଣ୍ଡା, କୁଳମଣି ଜେନା ପ୍ରମୁଖ ସାମିଲ ହୋଇଥିଲେ।


