ତିର୍ତୋଲ ବ୍ଲକ ରେ ମନ ଇଚ୍ଛାରେ ଚାଲିଛି ରାସନ କାର୍ଡ ବେପାର
ତିର୍ତୋଲ ବ୍ଲକ ଯୋଗାଣ କାର୍ଯ୍ୟାଳୟକୁ ଜନୈକ ଦଲାଲ୍ ହାତରେ ଟେକିଦେଇ ଦାୟୀତ୍ୱରେ ଥିବା ଯୋଗାଣ ଅଧିକାରୀ (ଏମ୍. ଆଇ.) ବେଳେ ବେଳେ ଅଫିସ୍କୁ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଏହି ଯୋଗାଣ କାର୍ଯ୍ୟାଳୟରେ ଚାନ୍ଦା ଆଦାୟ କରିବାକୁ ରଖାଯାଇଥିବା ଜନୈକ ଦଲାଲଙ୍କ ଉପଦ୍ରପ ଚରମ ସୀମାରେ ପହଂଚିଲାଣି ବୋଲି କୁହାଯାଉଛି । ଏନେଇ କେତେକ ଡିଲର୍ଙ୍କ ସମେତ ହିତାଧିକାରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିବା ଜଣା ପଡିଛି । ଏହି ଏମ୍. ଆଇ.ଙ୍କ ନିର୍ଦ୍ଧେଶରେ ଦଲାଲ୍ ଜଣକ କେତେକ ଡିଲର୍ମାନଙ୍କ ଠାରୁ ମାସିକ ୧୫୦୦ ରୁ ୨୦୦୦ ଲେଖାଏଁ ଚାନ୍ଦା ଆଦାୟ କରାଯାଉଥିବା କୁହାଯାଉଛି । ଏମିତିକି ତିର୍ତୋଲ୍ ଯୋଗାଣ କାର୍ଯ୍ୟାଳୟରେ ରାସନ କାର୍ଡ ଗଦା ହୋଇଥିବା ବେଳେ ବର୍ଷାଧିକ କାଳ ପ୍ରତି ମାସରେ ଡିଲର୍ଙ୍କ ଠାରୁ ରାସନ ସାମଗ୍ରୀ ନେଉଥିବା ହିତାଧିକାରୀ କାର୍ଡ ପାଇ ପାରୁ ନାହାନ୍ତି । ହିତାଧିକାରୀ ଡିଲର୍ଙ୍କୁ କାର୍ଡ ମାଗିଲେ ସେ କହୁଛନ୍ତି ବ୍ଲକ୍ ଯୋଗାଣ କାର୍ଯ୍ୟାଳୟରେ ମାଗ । ବ୍ଲକ ଯୋଗାଣ କାର୍ଯ୍ୟାଳୟରେ ମାଗିଲେ ଦାୟୀତ୍ୱରେ ଥିବା ସଂପୃକ୍ତ ଦଲାଲ୍ କହୁଛନ୍ତି ବହୁ କାର୍ଡ ଅଛି, ସେଥିରୁ ଖୋଜି ବାହାର କରିବାକୁ ପଡିବ, ୧୦୦ ଟଙ୍କା ଦେଲେ କାର୍ଡ ମିଳିବ ନହେଲେ ଫେରି ଯାଅ ବୋଲି କୁହାଯାଉଥିବା ହିତାଧିକାରୀଙ୍କ ଠାରୁ ଶୁଣିବାକୁ ମିଳିଛି । ଅନ୍ୟ ପକ୍ଷରେ ଆନେକ ଯୋଗ୍ୟ ହିତାଧିକାରୀ ବହୁବାର ଆବେଦନ କରି ବର୍ଷାଧିକ କାଳ ବାରମ୍ବାର ବ୍ଲକ ଯୋଗାଣ କାର୍ଯ୍ୟାଳୟକୁ ଦୌଡିବା ପରେ ମଧ୍ୟ ଆଜି ପର୍ୟ୍ୟନ୍ତ ରାସନ କାର୍ଡ ଟିଏ ପାଇପାରୁ ନଥିବା ବେଳେ ହାତଗୁଞ୍ଜା ଦେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଯଥାଶିଘ୍ର ରାସନ କାର୍ଡ କରେଇ ଦିଆଯାଉଥିବା କୁହାଯାଉଛି । ଏହାର ଏକ ପ୍ରମାଣ ଏହି ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଂଚାୟତରେ ଅରିଲୋ ଗ୍ରାମ ମଳିକ ସାହିର ଏକ ଦଳିତ ପରିବାର ରାଜେଶ ମଲ୍ଲିକ ମୁଲ ମଜୁରି କାମ କରି ପତ୍ନି ଓ ୫ଟି ପିଲାଙ୍କ ସହ ଏକ ଛୋଟ ଚାଳ କୁଡିଆରେ ଜୀବନ ବିତାଉଛନ୍ତି । ସେ ନିଜ ପରିବାରର ରାସନ କାର୍ଡ ଟିଏ କରିବା ପାଇଁ ବହୁବାର ଆବେଦନ କରି ମଧ୍ୟ ବର୍ଷ ବର୍ଷ ଧରି ପଂଚାୟତ ଓ ବ୍ଲକ ଯୋଗଣ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବା ସହିତ ବ୍ଲକ ଯୋଗଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନି ।


