ଥଇଥାନ ପାଇଁ କଲେଜ ଛକ ଉଠାଦୋକାନୀଙ୍କ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ସହରର କଲେଜ ଛକରୁ ବୈରାମନଗର ଛକ ପର୍ଯ୍ୟନ୍ତ ରାସ୍ତାପାଶ୍ୱର୍ରୁ ଉଠାଦୋକାନ ଉଚ୍ଛେଦ ପାଇଁ ପୌରପାଳିକାର ନିଷ୍ପତ୍ତି ବିରୋଧରେ ଅତିରିକ୍ତ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ଦେକାନୀମାନେ । ଯୁବନେତା ମାନସ ଦତ୍ତଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ଦୋକାନୀ ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କୁ ସାକ୍ଷାତ ସହ ବେକାର ସ୍ଥିତିରୁ ମୁକୁଳିବାକୁ ସେମାନେ କରୁଥିବା ସଂଘର୍ଷ ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ ଆପତ୍ତି ଅନୁସାରେ କଲେଜ ଛକରେ ଗତ ୩ ବର୍ଷ ଧରି ପ୍ରତି ସଂଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶିକ୍ଷିତ ବେକାର ଯୁବକମାନେ ଉଠା ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି । ଚାକିରି ପଛରେ ଗୋଡ଼ାଇବା ପରିବର୍ତ୍ତେ ବିଭିନ୍ନ ସଂସ୍ଥାରୁ ଋଣ ନେଇ ସେମାନେ ବଞ୍ଚିବାକୁ ଉଦ୍ୟମ କରିଚାଲିଛନ୍ତି । ଟ୍ରାଫିକ ନିୟମ ମାନି ସଂଧ୍ୟାରେ ୪/୫ ଘଣ୍ଟା ସେମାନେ ଦୋକାନ ଖୋଲିଥା’ନ୍ତି । ମାତ୍ର ଗତ ୨୯ ଦିନ ବିନା ସୂଚନାରେ ହଠାତ ପୌର କର୍ତ୍ତୃପକ୍ଷ କିଛି ଦୋକାନ ଭାଙ୍ଗିବା ସହିତ କିଛି ଦୋକାନ ଉଠାଇ ନେଇଛନ୍ତି । ଯାହାଦ୍ୱାରା ସେମାନଙ୍କର ବ୍ୟବସାୟରେ ଘୋର କ୍ଷତି ହେବା ସହିତ ପରିବାରର ପ୍ରତିପୋଷଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ପରିବାରର ପ୍ରତିପୋଷଣ ଓ ଋଣ ସୁଝିବା ପାଇଁ ସେମାନଙ୍କ ଥଇଥାନ ନିମନ୍ତେ ଏକ ବିକଳ୍ପ ସ୍ଥାନ ଯୋଇଦେବାକୁ ଦୋକାନୀମାନେ ଦାବି କରିଛନ୍ତି । ସମ୍ପୃକ୍ତ ସ୍ଥାନ ବା ଭେଣ୍ଡିଂଜୋନରେ ପ୍ରଶାସନର ନିୟମ ଭିତ୍ତିରେ ବ୍ୟବସାୟ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ବୋଲି ସେମାନେ କହିଛନ୍ତି । ଏନେଇ ଦୋକାନୀଙ୍କ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଦିଗମ୍ବର ଦତ୍ତ, ସୁକାନ୍ତ ମଲିକ, ସୁମନ ବେହେରା, ଦୀପକ ଚୌଧୁରୀ, ସନ୍ତୋଷ ସାହୁ ପ୍ରମୁଖ ଦୋକାନୀଙ୍କ ସମେତ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଉମେଶ ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ସୌଭାଗ୍ୟ ମାନସ ନାୟକ ଓ ମାନସ ସାହୁ ଉପସ୍ଥିତ ଥିଲେ ।


