ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି, ପର୍ଯ୍ୟଟକଙ୍କ ଜମୁଛି ଭିଡ଼
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । କିଛି ଦିନର ବ୍ୟବଧାନ ପରେ ଶୀତ ପୁଣି ଫେରିଛି l ସୋମବାର ଏଭଳି ସ୍ଥିତି ଅନୁଭୂତ ହୋଇଛି । ଦାରିଙ୍ଗବାଡି ସମେତ ଏହାର ଆଖପାଖ ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ହେଉଥିବା ପରିଲକ୍ଷିତ ହୋଇଛି । ବିଶେଷ କରି ଡୁଲୁରୀ ପାଇନ ବଣ,ଲଭର୍ସ ପଏଣ୍ଟ, ମିଡିଉବ୍ଳାନ୍ଦା ଜଳପ୍ରପାତ ଭଳି ସ୍ଥାନ ଗୁଡିକରେ ବଣଭୋଜି ହେଉଛି । ଜିଲା ତଥା ଜିଲା ବାହାରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଜମାହେଉଛନ୍ତି ।ସେହିଭଳି ନେଚର ପାର୍କ, ହିଲ ଭିୟୁ ପଏଣ୍ଟ, ସାଇକେଲଭ୍ୟାଲି ଭଳି ପର୍ଯ୍ୟଟନ ସ୍ଥଳି ଗୁଡିକରେ ପ୍ରବଳ ଭିଡ ଜମୁଛି । ଦୁଇ ଦିନ ହେଲା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତା ୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନେକ ସ୍ଥାନରେ ତୁଷାରପାତ ହୋଇଛି । ପର୍ଯ୍ୟଟକ ମାନେ ଶୀତ ସହିତ ଏହି ଦୃଶ୍ୟକୁ ମନୋଭରି ଉପଭୋଗ କରିଛନ୍ତି । ଗତ କିଛି ଦିନ ଧରି ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇଥିବା ବେଳେ ଶନିବାରଠାରୁ ପୁଣି ଏହା ବଢିବାରେ ଲାଗିଛି ।


