ଦିନତମାମ ଚାଲିଛି ବାଲି ବୋଝେଇ ଭାରିଯାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଷଡଙ୍ଗ- ଡିମିରିଆ ରାସ୍ତାରେ ବାଲିବୋଝେଇ ଭାରିଯାନ ଚଳାଚଳ କରିବା ଯୋଗୁଁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଜିଲ୍ଲାର ଲୋକମାନଙ୍କ ଦାବିକୁ ଗୁରତର ସହିତ ବିଚାର କରି ବ୍ୟାସନଗର ତହସିଲ କର୍ତ୍ତୁପକ୍ଷ ମଥୁରାପୁର- ବୈତରଣୀରୋଡ ଦେଇ ବାଲିବୋଝେଇ ଭାରିଯାନ ଚଳାଚଳ ବନ୍ଦ କରିଦେବା ଯୋଗୁଁ ବାଲିଘାଟ ଲିଜଧାରୀ ମାନେ ଏବେ ଷଡଙ୍ଗ-ମଥୁରାପୁର ରାସ୍ତାକୁ ବାଲି ପରିବହନର ଉତ୍ତମ ଗଳାବାଟ ବୋଲି ବାଛି ନେଇଛନ୍ତି । ଫଳରେ ଦିନ ରାତି ଏହି ରାସ୍ତା ଦେଇ ଶହଶହ ବାଲିବୋଝେଇ ଗାଡି ଚଳାଚଳ କରିବା ଯୋଗୁଁ ସ୍ଥାନୀୟ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛଦନ୍ତି । ଏପରିକି ବାଇକ କିମ୍ବା ଚାରିଚକିଆ ଗାଡିଟିଏ ନେଇ ଏହି ରାସ୍ତାଦେଇ ଯିବା ଆସିବା କରିବାକୁ ଲୋକମାନେ ଭୟ କରୁଛନ୍ତି । ଅନେକ ସମୟରେ ଦୁର୍ଘଟଣା ଘଟୁଥିବାବେଳେ ଏହି ରାସ୍ତା ଦେଇ ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜକୁ ନିରାପଦ ମଣୁ ନାହାନ୍ତି । ଦ୍ରୁତଗତିରେ ବାଲି ବୋଝେଇ ଭାରିଯାନ ଗୁଡିକ ଚଳାଚଳ କରୁଥିବାରୁ ସାଧାରଣ ଲୋକମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବାଲି ଉଠିବ ଯାଜପୁରରୁ, ଲାଭ ନେବ ଯାଜପୁର ପ୍ରଶାସନ, ଦଣ୍ଡ ଭୋଗିବେ କେନ୍ଦୁଝର ବାସୀ । ଏହା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିବା ସହିତ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏହା ଉପରେ ରୋକ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


