ଦୁଇଦିନିଆ ନାଟ୍ୟ ଉତ୍ସବ ଉଦ୍‌ଘାଟିତ ଅସ୍ଥାୟୀ ଠିକଣା ନାଟକ ଲୋକଙ୍କ ମନମୋହିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଅଗ୍ରଣୀ ଅନୁଷ୍ଠାନ ତୁଳସୀ କଲଚରାଲ ଆସୋସିଏସନ ପକ୍ଷରୁ ଆୟୋଜିତ ଦୁଇଦିନିଆ ନାଟ୍ୟ ଉତ୍ସବ ସହରର ଗଣାମାହାଲସ୍ଥିତ ବାଲାବାବା ଓ ବିନୋଦ ବିହାରୀ ମନ୍ଦିର ପ୍ରାଙ୍ଗଣରେ ସୋମବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡଃ. ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ତାଙ୍କ ଦ୍ୱାରା ରଚିତ ନାଟକ “ଅସ୍ଥାୟୀ ଠିକଣା” ମଂଚସ୍ଥ ହୋଇଥିଲା । ପରିବେଶ ପ୍ରତିକୂଳ ହୋଇପଡିଲେ ଜୀବନଧାରା ଅସ୍ଥିର ଓ ଅସୁରକ୍ଷିତ ହୋଇଯାଏ । ତେଣୁ ସେପରି କ୍ଷେତ୍ରରେ ଯେଉଁ ସ୍ଥାୟୀଭାବରେ ତିଷ୍ଠି ରହିବା ପାଇଁ ମଣିଷ ସଂଙ୍ଘର୍ଷ ଜାରିରଖେ । ଜୀବନରେ ସ୍ଥିରତା ନରହିିଲେ ମଣିଷ ନିଜର ଆବେଗ ଗତ ଓ ଆଧ୍ୟାତ୍ମକ ପୂରଣ କରିପାରେ ନାହିଁ । ଏପରି ସ୍ଥିତିବାଦୀ ଚେତନାର ଭାବବସ୍ତ୍ରୁକୁ ନେଇ ରଚିତ ‘ଅସ୍ଥାୟୀ ଠିକଣା’ ନାଟକ ରଚନା କରାଯାଇଛି । ସ୍ୱାମୀ ସ୍ତ୍ରୀ ଦୁହେଁ ସରଳ ଏବଂ କଠୋର ପରିଶ୍ରମୀ । ମାତ୍ର ଏତକ ଉପାଦାନ ଯଥେଷ୍ଟ ନୁହେଁ । ମଣିଷକୁ ଘେରି ରହିଥିବା ନିଷ୍ଠୁରତା ଓ ଅନୁମାନ ବହିର୍ଭୁତ ଶକ୍ତିର ମୁକାବିଲା କରିବା ପାଇଁ ଏହି ଦମ୍ପତ୍ତି ଖଣିଖାଦାନ ଛାଡିଛନ୍ତି ବଡ ଭାଇଙ୍କ ହତ୍ୟା ପରେ । ରାଜଧାନୀ ବସ୍ତିରେ ମଧ୍ୟ ଜୀବନ ବିପନ୍ନ ହୁଏ । ଟ୍ରକ ଆକ୍ସିଡେଂଟରେ ପୁଅର ମୃତ୍ୟୁ ଏବଂ ବସ୍ତି ଉଛେଦ ପାଇଁ ଘୋଷଣା ଏମାନଙ୍କୁ ବାଧ୍ୟକରେ ଜାତୀୟ ରାଜପଥ କଡରେ ସଂସାର ବସାଇବା ପାଇଁ । ଏଠାରେ ରହସ୍ୟ ଜନକ ଭାବରେ ଝିଅ ଅପହୃତ ହୁଏ । ସ୍ୱାମୀ ସ୍ତ୍ରୀ ପୁଣି ବାହରନ୍ତି ସୁରକ୍ଷିତ ସ୍ଥାନର ସନ୍ଧାନରେ । କେବଳ ଏମାନେ ନୁହଁନ୍ତି ଆମେ ସମସ୍ତେ ନିଜପାଇଁ ଅନୁକୂଳ ପରିବେଶ ଖୋଜିବାରେ ଜୀବନ କଟାଇଥାଉ । ମଣିଷର ଭାଗ୍ୟହିଁ ଏମିତି ସବୁଠାରେ ସବୁ ସମୟରେ । ଏହାହିଁ ନାଟକ “ଅସ୍ଥାୟୀ ଠିକଣା”ର କଥାବସ୍ତୁ । ସ୍ଥାନୀୟ ଦର୍ଶକ ଓ ସହରର ବହୁ ପ୍ରତିଷ୍ଠିତ ନାଟ୍ୟପ୍ରେମୀ ଏହି ନାଟକଟିକୁ ସଂପୂର୍ଣ୍ଣ ଉପଭୋଗ କରିଥିଲେ । ନାଟକଟିରେ ଅଭିନୟ କରିଥିଲେ ପ୍ରଦୀପ ନାୟକ, ସଂଯୁକ୍ତା ଦାସ, ଐଶ୍ୱର୍ଯ୍ୟା ଦାସ, ମିନତୀ ମହାରଣା, ଗଙ୍ଗାଧର ପାତ୍ର, କୈଳାସ ଚନ୍ଦ୍ର ମହାନ୍ତି, ପ୍ରଭାତ କୁମାର ସିଂ, ଅଜୟ ପଣ୍ଡା, ନିରଞ୍ଜନ ଦାସ, ରଶ୍ମିରଞ୍ଜନ ପତ୍ରି, ଐଶ୍ୱର୍ଯ୍ୟରଞ୍ଜନ ଜେନା, ମହେନ୍ଦ୍ର ସୁଆର, ଅକ୍ଷୟ କୁମାର ସେନାପତି, ସଞ୍ଜୟ କୁମାର ବେହେରା ପ୍ରମୁଖ । ଏହି ନାଟକକୁ ଅଭିନ୍ନ ରାଉତରାୟ ନିର୍ଦ୍ଦେଶନା ଦେଇଥିବା ବେଳେ ଶାରଦା ପ୍ରସାଦ ଦାସ ସଙ୍ଗୀତ ନିର୍ଦ୍ଦେଶନା, ପ୍ରତାପ ରାଉତ ସଙ୍ଗୀତ ପରିଚାଳନା, ଡଃ. ଅପର୍ଣ୍ଣା ମହାନ୍ତି ସଂଗୀତ ପ୍ରଦୀପ କୁମାର ନାୟକ ମଞ୍ଚ ପରିଚାଳନା, ବାଚ୍ଛାନିଧି ପଟ୍ଟନାୟକ ରୂପ ସଜ୍ଜା, ସଂଜୟ ସାହା ଆଲୋକ ଓ ଶଦ୍ଦ ପରିଚାଳନା, ବିଶ୍ୱଜିତ ରାଉତ ମଞ୍ଚ ସଜ୍ଜା କରିଥିଲେ । ତୁଳସୀ କଲଚରାଲ ଆସୋସିଏସନ୍‌ର ମନୋଜ ନାୟକ, ଶାନ୍ତନୁ ମଲ୍ଲିକ, ରମାକାନ୍ତ ଜେନା, ରତ୍ନାକର ସାହୁ, ଇନ୍ଦ୍ରମଣୀ ପଣ୍ଡା, ଉମାକାନ୍ତ ଜେନା, ଗଗନ ରାଉତ, ଅଶୋକ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ, ରବୀନ୍ଦ୍ର ନାଥ ରଥ, ସରୋଜ କୁମାର ମହାନ୍ତି ପ୍ରମୁଖ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ