ପୂର୍ବରୁ ନିର୍ମିତ କଂକ୍ରୀଟରାସ୍ତାକୁ ଦେଖାଇ ବିଲ କରିନେବାକୁ ମସୁଧା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୂର୍ବରୁ ନିର୍ମିତ ଏକ ସିମେଂଟ କଂକ୍ରୀଟ ରାସ୍ତାକୁ ଦେଖାଇ ବିଲ କରିନେବାକୁ ମସୁଧା ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର କାଙ୍କଦିଆ ଗ୍ରାମରେ ଜନୈକ ବ୍ୟକ୍ତି ନିଜଘରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଆର.ଡି. ରାସ୍ତା ଠାରୁ ସେହି ଗ୍ରାମର ସୁନାକର ସ୍ୱାଇଁ ଘର ପର୍ଯ୍ୟନ୍ତ ଏକ ସିମେଂଟ କଂକ୍ରୀଟ ରାସ୍ତା ପ୍ରାୟ ୩ମାସ ପୂର୍ବରୁ ବ୍ୟକ୍ତିଗତ ପାଣ୍ଠି ଖର୍ଚ୍ଚ କରି ନିର୍ମାଣ କରିଥିଲେ । କିନ୍ତୁ ୨ଦିନତଳେ ସେହି ରାସ୍ତା ନିକଟରେ ଏକ ଫଳକ ମରାଯାଇଥିବା ଦେଖିବାକୁ ମିଳିଥିଲା । ସେହି ଫଳକରେ ପଂଚାୟତ ସମିତି କେନ୍ଦ୍ରାପଡା, ପି.ଏସ.ଶେୟାର – ୨୦୧୭-୧୮ ଟୁ ୨୦୧୯-୨୦, ପ୍ରକଳ୍ପର ନାମ – ଆର.ଡି.ରାସ୍ତା ଠାରୁ ସୁନାକର ସ୍ୱାଇଁ ଘର ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ, ବ୍ୟୟ ଅଟ୍ଟକଳ – ଟ୪,୦୦,୦୦୦/-ଙ୍କା, କାର୍ଯ୍ୟନିର୍ବାହୀ – ବିନୟ କୁମାର ମିଶ୍ର, ଗ୍ରାମ – କାଙ୍କଦିଆ, ଗ୍ରାମପଂଚାୟତ – କଂସାର, ସୈାଜନ୍ୟ – ସୁଶ୍ରୀ ସଂଗୀତା ସାମଲ- ସମିତିସଭ୍ୟା ଲେଖାଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ କହିବା କଥା ହେଉଛି ପ୍ରାୟ ୩ମାସ ତଳେ ନିର୍ମିତ ସେହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ସରକାରୀ ପାଣ୍ଠିରେ ହୋଇନଥିଲା । କେନ୍ଦ୍ରାପଡା ବ୍ଲକର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ପ୍ରତିକ୍ରୀୟା ଜାଣିବାକୁ ଚାହିଁବାରେ ସେ କୁହନ୍ତି ଯେ ସେହି ରାସ୍ତା ନିର୍ମାଣ ନିମନ୍ତେ ସେ କୈାଣସି କାର୍ଯ୍ୟାଦେଶ କାହାରି ନାମରେ ପ୍ରଦାନ କରିନାହାନ୍ତି । ଏଭଳି ବେଆଇନ କାର୍ଯ୍ୟ ତାଙ୍କ ନଜରକୁ ଆସିଲେ ସେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ