ସରକାରୀ ନିୟମକୁ ମାନୁ ନାହାନ୍ତି ନାଉଗାଁ ବ୍ଳକର ଅଧିକାଂଶ ଶିକ୍ଷକ
ନାଉଗାଁ, (ଓ୍ବାଇଏନ୍ଏସ୍):କରୋନା କଟକଣା ଯୋଗୁ ବିଦ୍ୟାଳୟ ଗୁଡିକ ଦୀର୍ଘ ଦିନ ହେବ ବନ୍ଦ ରହିଛି । ସରକାରଙ୍କ ତରଫରୁ ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଅନଲାଇନ କ୍ଳାସ ଚାଲୁ ରହିଥିବା ବେଳେ ଶିକ୍ଷକ ମାନଙ୍କୁ ଅନଲାଇନରେ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି । ସରକାରଙ୍କ ନିୟମାନୁସାରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକମାନେ ବିଦ୍ୟାଳୟର ଧାର୍ଯ୍ୟ ସମୟ ଗୁଡିକରେ ଉପସ୍ଥିତ ରହିବେ । କିନ୍ତୁ ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକମାନେ ସରକାରୀ ନିୟମ ନ ମାନି ଅନୁପସ୍ଥିତ ରହୁଥିବା ଦେଖାଦେଇଛି । ଏପରିକି ସର୍ବଶିକ୍ଷା ଯୋଜନାରେ ସିଆରସିସି,ବିଆରସିସି, ବିଇଓ ଆଦି ବିଦ୍ୟାଳୟ ଗୁଡିକ ତଦନ୍ତ କରିବାକୁ ରହିଥିଲେ ମଧ୍ୟ ସେମାନେ ସଠିକ ତଦନ୍ତ କରୁ ନଥିବା ଜଣାଯାଇଛି । ଯାହାଫଳରେ ଶିକ୍ଷକମାନେ ବିଭିନ୍ନ ଆଳ ଦେଖାଇ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଡାହାଣିଖିଆ ଉ.ପ୍ରା ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟରେ ଶନିବାର ତାଲା ଝୁଲୁଥିବାର ଦେଖା ଦେବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲା । ସରକାରଙ୍କର ମୋ ସ୍କୁଲ ଅଭିଯାନ ପାଇଁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାକ୍ଷାତ କରିବାକୁ ଗ୍ରାମରେ ଥିବା ପ୍ରକାଶ କରିଥିଲେ । କିନ୍ତୁ ଉକ୍ତ ବ୍ଳକର ଅଧିକାଂଶ କ୍ଳଷ୍ଟରର ସିଆରସିସି ମାନେ ସଠିକ ତଦନ୍ତ କରୁ ନଥିବାରୁ ଶିକ୍ଷକମାନେ ବିଦ୍ୟାଳୟକୁ ନଯାଇ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଏବିଷୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ ବେହେରାଙ୍କୁ ପଚାରିବାରୁ ବିଦ୍ୟାଳୟ ଗୁଡିକୁ ସଠିକ ତଦନ୍ତ କରାଯିବ ଯେଉଁ ଶିକ୍ଷକ ଅନୁପସ୍ଥିତ ରହିଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।


