ନାଉଗାଁ-ରୋହିଆ ମୁଖ୍ୟରାସ୍ତା ପାଶ୍ୱର୍ରେ ସରକାରୀ ନଳକୂପ ପ୍ଲାଟଫର୍ମ ଓ ସୋକ ପିଟ ନଥିବାରୁ ରାସ୍ତାରେ ପାଣି ଜମି ସୃଷ୍ଟି ହେଉଛି ନର୍ଦ୍ଦମା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀ-ଶିଖରଘାଟକୁ ସଂଯୋଗ କରୁଥିବା ପୂର୍ତ ବିଭାଗର ମୁଖ୍ୟରାସ୍ତା ଓ ଅପରପାଶ୍ୱର୍ରେ ନାଉଗାଁ ବ୍ଳକଛକରୁ ରୋହିଆକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଶ୍ୱର୍ରେ ଏକ ନଳକୂପ ରହିଛି । ଏହି ନଳକୂପଟିରୁ ନିକଟସ୍ଥ ହରିନବେଇ ଗ୍ରାମର କିଛି ଗ୍ରାମବାସୀ ଓ ବ୍ଳକଛକରେ ଥିବା ଅନେକ ଦୋକାନୀ ପାଣି ପାଇଁ ନିର୍ଭର କରିଥାନ୍ତି । ଉକ୍ତ ଗ୍ରାମର ଲୋକମାନେ ଏହି ନଳକୂପରେ ଗାଧୋଇବା ଓ ପାଣି ବ୍ୟବହାର କରିବା ଫଳରେ ନଳକୂପର ପାଣି ମାଡି ରାସ୍ତାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସରକାରଙ୍କ ତରଫରୁ ନଳକୂପ ନିକଟରେ ସୋକ୍ ପିଟ ନିର୍ମାଣ କରିବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଉକ୍ତ ନଳକୂପ ନିକଟରେ ସେପରି କିଛି ସୋକ୍ ପିଟ ନିର୍ମାଣ ହୋଇଥିବା ଦେଖିବାକୁ ମିଳିନାହିଁ । ନଳକୂପରୁ ବାହାରୁ ଥିବା ପାଣି ସେହି ନଳକୂପ ମୁଳେ ଜମି ରହି ସେଥିରୁ ଏକ ପ୍ରକାର ପଚା ଗନ୍ଧ ମଧ୍ୟ ବାହାରୁଛି ଓ ଏହି ପଚା ପାଣି ରାସ୍ତାରେ ଜମି ରହୁଛି । ଗ୍ରାମର ପିଲା ଓ ବୃଦ୍ଧବୃଦ୍ଧାମାନେ ଏହି ପଚା ପାଣିରେ ଖାଲି ପାଦରେ ଯିବା ଆସିବା କରୁଛନ୍ତି । ଏହି ନଳକୂପ ପାଶ୍ୱର୍ ଦେଇ ଯାଇଥିବା ରାସ୍ତାରେ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଯାଉଥିବା ବେଳେ କାହାରି ମଧ୍ୟ ଦୃଷ୍ଟି ପଡେନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଳକୂପଟି ରାସ୍ତାକୁ ଲାଗି ରହିଛି । ଯାହାଫଳରେ ଯିବା ଆସିବାରେ ବିପଦ ସୃଷ୍ଟି କରୁଛି । ତେଣୁ ଉକ୍ତ ନଳକୂପ ପ୍ରତି ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବମାନେ ଦାବି କରିଛନ୍ତି । ଉକ୍ତ ବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ.ପ୍ରଦୀପ୍ତ ବରାଳଙ୍କୁ ପଚାରିବାରୁ ଉକ୍ତ ନଳକୂପଟି ରାସ୍ତା ନିର୍ମାଣ ପୂର୍ବରୁ ବସିଛି ବର୍ତମାନ ତାହା ସ୍ଥାନାନ୍ତର କରାଯାଇ ପାରିବନାହିଁ, ଯଦି ସରପଂଚ କିମ୍ବା ବିଧାୟକ ଚାହିଁଲେ ସେଠାରେ ରାସ୍ତା ଠାରୁ ଦୁରରେ ଏକ ନୂତନ ନଳକୂପ ବସାଇବା ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।


