ନାବାଳିକା ଦୁଷ୍କର୍ମ କାରୀକୁ ୨୦ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କା ଜରିମାନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଡିଜେ(ପୋକ୍‌ସୋ) କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ଦୁଃଶାସନ ପ୍ରଧାନ (୪୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୯ ମସିହା ଫେବ୍ରୁଆରି ୫ ତାରିଖ ଦିନ ଫିରିଙ୍ଗିଆ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଦୁଃଶାସନ ପ୍ରଧାନ ବଳପୂର୍ବକ ଦୁଷ୍କର୍ମ କରିଥିଲା। ନାବାଳିକାର ବାପା ନିଜ ଘରେ ଏକ ଦୋକାନ କରିଥିଲେ। ଘଟଣା ଘଟିବା ଦିନ ସନ୍ଧ୍ୟାରେ ଘରେ କେହି ନଥିଲେ ଏବଂ ଦୋକାନରେ ନାବାଳିକା ଏକୁଟିଆ ବସିଥିଲା। ଏହି ସମୟରେ ଯୁବକ ଦୁଃଶାସନ ବିଡି କିଣିବାକୁ ଦୋକାନକୁ ଆସିଥିଲା। ଏକୁଟିଆର ସୁଯୋଗ ନେଇ ବଳପୂର୍ବକ ନାବାଳିକାକୁ ଘରକୁ ନେଇ ଦୁଷ୍କର୍ମ କରିଥିଲା। ଘରେ ଏ କଥା କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଦୁଃଶାସନ ସମ୍ପୃକ୍ତ ନାବାଳିକାକୁ ଧମକ ଦେଇ ଘଟଣା ସ୍ଥଳରୁ ଚାଲି ଆସିଥିଲା। ତେବେ ଏହି ଘଟଣା ପରେ ପରେ ଦୁଃଶାସନ ଅନେକବାର ସମ୍ପୃକ୍ତ ନାବାଳିକାକୁ ଧମକ ଦେଇ ଏକାଧିକଥର ଦୁଷ୍କର୍ମ କରିଥିଲା। ଏହାରି ମଧ୍ୟରେ ନାବାଳିକା ଗର୍ଭବତୀ ହୋଇ ଯାଇଥିଲା। ଘର ଲୋକେ ନାବାଳିକାକୁ ସାରଙ୍ଗଗଡ଼ ଏବଂ ଭଞ୍ଜନଗର ମେଡିକାଲ ନେଇ ବିଭିନ୍ନ ପରୀକ୍ଷା କରିବା ପରେ ଝିଅ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ୨୦୧୯ ମସିହା ଡିସେମ୍ବର ୧୮ ତାରିଖରେ ସମ୍ପୃକ୍ତ ନାବାଳିକା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା। ଏହାପରେ ନାବାଳିକା ଏବଂ ତାଙ୍କ ନବଜାତ କନ୍ୟା ସନ୍ତାନକୁ ଫୁଲବାଣୀସ୍ଥିତ ସଖୀ ସେଣ୍ଟରରେ ରଖାଯାଇଥିଲା। ୨୦୧୯ ମସିହା ଡିସେମ୍ବର ୨୩ ତାରିଖରେ ନାବାଳିକାଙ୍କ ଘର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଫୁଲବାଣୀ ଏଡିଜେ (ପୋକ୍‌ସୋ) କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ୧୩ ଜଣ ସାକ୍ଷୀଙ୍କ ବୟାନ ଏବଂ ମେଡିକାଲ ରିପୋର୍ଟକୁ ଭିତ୍ତିକରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲାଟିକୁ ପରିଚାଳନା କରିଥିଲେ। ଉକ୍ତ ନାବାଳିକାକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ