ନିମାପଡା ମହୋତ୍ସବ ର ଦ୍ଵିତୀୟ ସଂଧ୍ୟା,ଢେମେସାନୃତ୍ୟ ମନମୋହିଲା
ନିମାପଡ଼ା, (ସନ୍ତୋଷ ଦାଶ):ଏକ ବର୍ଣ୍ଣାଢ଼୍ୟ ପରିବେଶରେ ନିମାପଡ଼ା ସ୍ଥିତ ମୁକ୍ତାକାଶ ମଞ୍ଚରେ ନିମାପଡା ମହୋତ୍ସବ କମିଟି ଓ ହେଲ୍ପଲାଇନ ଆନୁକୂଲ୍ୟରେ ଅନୁଷ୍ଠିତ ୨୨ତମ ନିମାପଡ଼ା ମହୋତ୍ସବ ର ଦ୍ୱିତୀୟ ସଂଧ୍ୟା ରେ କ୍ରୀଡା,ଯୁବ ବ୍ୟାପାର,ସୂଚନା ପ୍ରଯୁକ୍ତି ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହୋତ୍ସବ ଓ ଅଭ୍ୟର୍ଥନା କମିଟି ର ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ଏବଂ ନିମାପଡ଼ା ସହୀଦ ସ୍ମୃତି ସଂସଦର ସମ୍ପାଦକ ବେଣୁଧର ସେନାପତି ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ।ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ ଓ ସମ୍ପାଦକ ନିଗମାନନ୍ଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ଅବସରରେ ଶିକ୍ଷାବିତ୍ତ ରମେଶ ଚନ୍ଦ୍ର ପରିଡା ସୃତି ସଂସଦ ପକ୍ଷରୁ ଅଧ୍ୟାପକ ବିଶ୍ୱରଂଜନଙ୍କୁ ସମ୍ମାନୀତ କରାଯାଇଥିଲା।ଦ୍ବିତୀୟ ସଂଧ୍ୟାର ପ୍ରଥମ ଚରଣରେ ନିତ୍ୟାବ୍ରୀତି କଲିକତା ପକ୍ଷରୁ ଭାରତ ନାଟ୍ୟମ୍ ନୃତ୍ୟ ପରିବେଷଣ ହୋଇଥିଲା। ଦ୍ବିତୀୟ ଚରଣରେ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କୋରାପୁଟର ମା ମଉଳି କଳା ପରିଷଦ ପକ୍ଷରୁ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ନୃତ୍ୟକୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।ତୃତୀୟ ଓ ଶେଷ ଚରଣରେ ସଂସ୍କୃତି ବିଭାଗ ପକ୍ଷରୁ ମୟୁରଭଞ୍ଜ ପଲଭିର ମାଲଖମ୍ବ ଏବଂ ନିମାପଡ଼ାର ନଟରାଜ ଡାନ୍ସ ଷ୍ଟୁଡିଓର ଡାନ୍ସ ଡ୍ରାମା ପରିବେଷଣ କରାଯାଇଥିଲା।ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବାଲୁକା କଳା ଓ ପଲିଶ୍ରୀ ମେଳା।


