ନିର୍ବାହୀ ଅଧିକାରୀଙ୍କ ଦିନିକିଆ ସଚେତନତା କର୍ମଶାଳା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ତିନୋଟି ପର୍ଯ୍ୟାୟରେ ଜିଲ୍ଲାର ୫୦୩ ପଂଚାୟତ ସରପଂଚଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନେଇ ରବିବାର ଦିନିକିଆ ସଚେତନତା କର୍ମଶାଳା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୋ ସରକାର କାର୍ଯ୍ୟକ୍ରମ କେଉଁ ସମୟରେ ପଂଚାୟତିରାଜ ବିଭାଗ ଉପରେ ଲାଗୁ ହୋଇପାରେ । ଏଣୁ ପଂଚାୟତର ବିକାଶ ଏବଂ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ଜିଲ୍ଲାର ସମସ୍ତ ସରପଂଚଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜିର ଏହି କର୍ମଶାଳାରେ ସରପଂଚ ଓ ପଂଚାୟତନିର୍ବାହୀ ଅଧିକାରୀ ମାନଙ୍କୁ ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ । ଗ୍ରାମାଚଂଳର ଲୋକମାନଙ୍କ ସମସ୍ୟାକୁ ପ୍ରଥମେ ପଂଚାୟତ ପ୍ରତିନିଧି ଓ ପଂଚାୟତ ନିର୍ବାହୀ ଅଧିକାରୀମାନେ ଅବଗତ ହୁଅନ୍ତୁ । ଏଥିପାଇଁ ପଂଚାୟତ କାର୍ଯ୍ୟାଳୟରେ ପତ୍ୟେକ ସୋମବାରରେ ଦୁଇଘଂଟାର ଏକ ଅଭିଯୋଗ ଶୁଣାଣିର ବ୍ୟବସ୍ଥା କରାଯିବ । ପଂଚାୟତ ସରପଂଚଓ ପଂଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ । ଯେଉଁ ସମସ୍ୟା ଗୁଡିକ ନିଜ ସ୍ତରରେ ସମାଧାନ ହୋଇପାରିବ ତାକୁ ସମାଧାନ କରିବେ ବାକି ସମସ୍ୟା ଗୁଡିକୁ ବ୍ଲକ ତଥା ଜିଲ୍ଲା କାର୍ଯ୍ୟାଳୟକୁ ସେମାନଙ୍କ ଜରିଆରେ ପ୍ରଦାନ କରାଗଲେ ସେଗୁଡିକୁ ତୁରନ୍ତ ସମାଧାନର ପଦକ୍ଷେପ ନିଆଯିବ । ତେବେ ସମସ୍ତ କାର୍ଯ୍ୟ ସୁରୁଖୁରରେ ପରିଚାଳନା ହୋଇପାରିବ ବୋଲି ଜିଲ୍ଲାର ସମସ୍ତ ପଂଚାୟତ ସରପଂଚଓ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ପଂଚାୟତ ବିକାଶ କଥା ଚିନ୍ତା କରାଯାଏ ତେବେ ପଂଚାୟତରେ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ପଂଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ହେବ । ସମସ୍ତଙ୍କ ଘରେ ପାଇଖାନା ଅଛି କି ନାହିଁ, ସେମାନେ ପାଇଖାନାକୁ ବ୍ୟବହାର କରୁଛନ୍ତି କି ନାହିଁ । ଏହା ଉପରେ ପଂଚାୟତ ସ୍ତରରେ ଆପଣମାନଙ୍କ ଜରିଆରେ ପୁଣି ସର୍ଭେ ଆରମ୍ଭ କରାଯିବ । ସେହିପରି ବସୁଧା ଯୋଜନାରେ ୨୦୨୪ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଲାଇନ୍ ଜରିଆରେ ପାନୀୟ ଜଳ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ଯେଉଁମାନଙ୍କ ଘରେ ପାଇଖାନା ଅଛି ସେମାନେ ବ୍ୟବହାର କରୁ ନଥିଲେ ସଚେତନତା କରାଯିବ । ପାଇଖାନା ବ୍ୟବହାର ନ କଲେ ଆସନ୍ତା ଦିନରେ ଘରକୁ ପାଇପ୍ ଲାଇନ୍‌ରେ ପାନୀୟ ଜଳ ଯୋଗାଇ ଦିଆଯିବ ନାହିଁ ବୋଲି ତାଗିଦ୍ କରାଇବା ପାଇଁ ଜିଲ୍ଲାପାଳ କହିଛନ୍ତି । ବର୍ତମାନ ଠାରୁ ସେହିଭଳି ପରିବାରମାନଙ୍କୁ ସଚେତନତା କରିବା ପାଇଁ ସରପଂଚ ମାନେ ପଦକ୍ଷେପ ନେବେ । ପଂଚାୟତରେ ଥିବା ମନ୍ଦିର ଗୁଡିକୁ ଯେପରି ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ବିଦ୍ୟାଳୟ ଗୁଡିକୁ ମନ୍ଦିର ଭଳି ଭାବି ବିଦ୍ୟାଳୟ ଗୁଡିକର ଉନ୍ନତି ପାଇଁ ପଂଚାୟତ ପ୍ରତିନିଧିମାନେ ପଦକ୍ଷେପ ନେବେ । ସେହି ବିଦ୍ୟାଳୟରୁ ହିଁ ଆମ ଅଂଚଳର ପିଲାମାନେ ପାଠପଢି ଉତମ ନାଗରିକ ହୋଇ ବାହାରିବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କର୍ମଶାଳାରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ କେଉଁ ମୂହୁର୍ତ୍ତରେ ପଞ୍ଚାୟତିରାଜ ବିଭାଗକୁ ଲାଗୁ ହେବ ସେଥି ପାଇଁ ଆମେ ଆଗୁଆ ସତର୍କତା ରହିବା ଆବଶ୍ୟକ ରହିଛି । ଜନତାଙ୍କ ନିବେଦନ ସରକାରଙ୍କ ସମାଧାନ କାର୍ଯ୍ୟକ୍ରମରେ ପଞ୍ଚାୟତରେ ଲୋକଙ୍କ ଅଭିଯୋଗ ଗୁଡିକୁ ପ୍ରାଧାନ୍ୟ ଦିଆଯିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତମ ପାନୀୟ ଜଳ ବ୍ୟବସ୍ଥା ଏବଂ କମ୍ୟୁନିଟି ଶୌଚାଳୟର ବ୍ୟବସ୍ଥା କରିବାକୁ ହେବ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଏମନରେଗା ଯୋଜନା, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା, ଓଡିଶା ଜୀବିକା ମିଶନ୍‌, ଦୀନଦୟାଲ ଉପାଧ୍ୟୟ ଗ୍ରାମୀମ କୌଶଲ୍ୟ ଯୋଜନା, ଶକ୍ତି ଗାଁ ଯୋଜନା ତଥା ବିଭିନ୍ନ ଯୋଜନା ସଂପର୍କିତ ନେଇ ଜନସାଧାରଣଙ୍କ ନିବେଦନ ନେଇ ଆସିବେ । ପଞ୍ଚାୟତ ଅନୁଦାନରେ ପ୍ରକଳ୍ପ ନିମନ୍ତେ କୋଟି କୋଟି ଟଙ୍କା ପଡି ରହିଛି । ଏଣୁ ନିର୍ମାଣ ହୋଇନଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ ନିର୍ମାଣ ଦିଗରେ ପଦକ୍ଷେପ ନିଅନ୍ତୁ । ନଚେତ ଉକ୍ତ ଅନୁଦାନକୁ ଫେରାଇ ଆଣି ପଞ୍ଚାୟତ ସମିତି ଜରିଆରେ କାର୍ଯ୍ୟ କରାଯିବ ବୋଲି ଡିଆରଡିଏ ପିଡି ଶ୍ରୀ ସ୍ୱାଇଁ କହିଛନ୍ତି । ଆଜି କର୍ମଶାଳାରେ ପ୍ରଥମ ପର୍ଯ୍ୟାୟ ସାଢେ ୯ ଟାରେ ଆରମ୍ଭ ହୋଇଥିଲା ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ବେଗୁନିଆପଡା, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀମାନେ ସାମିଲ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଦିବା ୧୧ ଟାରେ ଆରମ୍ଭ ହୋଇଥିବା ବେଳେ ଭଞ୍ଜନଗର, ବୁଗୁଡା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ସୋରଡା, ଧରାକୋଟ ଓ ପାତ୍ରପୁର ବ୍ଲକର ଏବଂ ତୃତୀୟ ପର୍ଯ୍ୟାୟ ସାଢେ ୧୨ଟା ରେ ଆରମ୍ଭ ହୋଇଥିବା ବେଳେ ଆସିକା, ଚିକିଟି, ଦିଗପହଣ୍ଡି, ହିଞ୍ଜିଳି, କବିସୂର୍ଯ୍ୟନଗର, ପୋଲସରା, ସାନଖେମୁଣ୍ଡି ଓ ଶେରଗଡ ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କର୍ମଶାଳାରେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବୀ ନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ ଓ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ