ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟାର ପ୍ରତିକାର ପାଇଁ ସ୍ମାରକପତ୍ର ପ୍ରଦାନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟରତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ଗୁଡିକ ମିଳିତ ଭାବେ ନିର୍ମାଣ ଶ୍ରମିକମାନଙ୍କ ସମସ୍ୟାର ପ୍ରତିକାର ପାଇଁ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବା ସହ ରାଜ୍ୟ ଶ୍ରମ ସଚିବଙ୍କ ଉଦେଶ୍ୟରେ ପ୍ରେରଣ କରିଥିବା ସୂଚନା ଦେଇଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଂପ୍ରତି କରୋନା ମହାମାରୀରେ ଜର୍ଜରିତ ନିର୍ମାଣ ଶ୍ରମିକମାନେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡରୁ ବ୍ୟକ୍ତି ପିଛା ଦେଢହଜାର ଟଙ୍କା ପାଇବାର ଘୋଷଣା ପରେ ଏହି ଜିଲ୍ଲାର ମୋଟ ୧ଲକ୍ଷ ୨୪ହଜାର ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୯୫ହଜାର ୪୩୧ଜଣ ପାଇବାକୁ ଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୭୫ହଜାର ଶ୍ରମିକ ସେହି ସହାୟତା ପାଇଛନ୍ତି । ବଂଚିତ ନିର୍ମାଣ ଶ୍ରମିକମାନଙ୍କୁ ସେହି ସହାୟତା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ତୃଟିପୂର୍ଣ୍ଣ କାର୍ଡ ଯୋଗୁଁ ସହାୟତାରୁ ବଂଚିତ ଶ୍ରମିକଙ୍କୁ ତୁରନ୍ତ ସଂଶୋଧିତ କାର୍ଡ ପ୍ରଦାନ କରାଯିବା,ବର୍ଷ ବର୍ଷ ଧରି ପଡିରହିଥିବା ଟୁଲ୍ସ ଓ ସାଇକେଲ ସହାୟତା ପ୍ରଦାନ କରାଯିବା,ରାଜ୍ୟ କଲ୍ୟାଣ ବୋର୍ଡ ଦ୍ୱାରା ଘୋଷିତ ପୁରୁଣା କାର୍ଡ ଗୁଡିକର ନବୀକରଣ ତୁରନ୍ତ କରାଯିବା,୨୦୧୮-୧୯ ଶିକ୍ଷାବର୍ଷର ସହାୟତା ପାଇଁ ୨୩୪୧ଜଣଙ୍କର ବ୍ୟାଙ୍କକୁ ପଠାଯାଇଥିବା ବେଳେ ଅବଶିଷ୍ଟ ଏକହଜାର ୫ଶହଜଣଙ୍କର ସହାୟତା ପ୍ରଦାନ ବାକି ରହିଛି । ସେମାନଙ୍କୁ ସହାୟତା ପ୍ରଦାନ ସହିତ ୨୦୧୯-୨୦ ଶିକ୍ଷାବର୍ଷର ଆରମ୍ଭ ହୋଇନଥିବା ଶିକ୍ଷା ସହାୟତା ତୁରନ୍ତ ପ୍ରଦାନ କରାଯିବା,ଜିଲ୍ଲାରେ କାର୍ଯ୍ୟରତ ଏବଂ ମୃତ ୩ହଜାରରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ବ୍ୟାକ ଲଗ ଏଂଟ୍ରି କାର୍ଯ୍ୟ ତୁରନ୍ତ କରାଯିବା,୨/୩ବର୍ଷ ଧରି ପଡି ରହିଥିବା ମୃତ ଶ୍ରମିକଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ,୨/୩ବର୍ଷ ଧରି ଅନ୍ୟାନ୍ୟ ସହାୟତା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ଅସହଯୋଗ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦାୟୀତ୍ୱହୀନତା ପାଇଁ ପେମେଂଟ ନହୋଇ ପଡିରହିଥିବା ସହାୟତା ଗୁଡିକର ତୁରନ୍ତ ସମାଧାନ କରାଯିବା,ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ତାଲିମ,ସହାୟତା ଓ ପ୍ରମାଣପତ୍ର ତୁରନ୍ତ ମିଳିବାର ବ୍ୟବସ୍ଥା ସହ ବାକିଆ ଥିବା କାର୍ଡ ଗୁଡିକ ଶୀଘ୍ର ପ୍ରଦାନ କରାଯିବା,କରୋନା ମହାମାରୀ ସମୟରେ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ନିର୍ମାଣ ଓ ପ୍ରବାସୀ ଶ୍ରମିକଙ୍କୁ ୫୦ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏ.ଆଇ.ଟି.ୟୁ.ସି.ନେତା ବାବାଜୀ ଧଳ,ସି.ଆଇ.ଟି.ୟୁ.ନେତା ଜଗତଜୀବନ ଦାଶ,ପ୍ରଶାନ୍ତ କୁମାର ତ୍ରିପାଠୀ,ମୁକ୍ତାର ଖାଁ,ବସନ୍ତ ସେଠୀ,ବସନ୍ତ ମଳିକ,ବିଧୁଭୂଷଣ ମହାପାତ୍ର ପ୍ରମୁଖ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


