ସ୍ୱାମୀଙ୍କ ଦୀର୍ଘଜୀବନ କାମନାକରି ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀବ୍ରତ ପାଳିଲେ ଅନ୍ତେବାସୀ ମହିଳା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳା କାମନାକରି ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଆଜି ସାବିତ୍ରୀ ବ୍ରତ ପାଳିଛନ୍ତି ଅନ୍ତେବାସୀ ମହିଳାମାନେ । ପତି ପରମେଶ୍ୱର । ପତିଙ୍କ ବିନା ପତ୍ନୀ ଅସହାୟା ହୋଇପଡେ । ଦୁହେଁ ଦୁହିଁଙ୍କୁ ଛାଡିବା ଭିଷଣ କଷ୍ଟ ଦାୟକ । ପୁରାଣ ବର୍ଣ୍ଣିତ କାହାଣୀ ର ଏହି ପରମ୍ପରାରେ ବନ୍ଧା ଓଡିଆ ଘରର ସଧବାମାନେ । ସ୍ୱାମୀଙ୍କ ନିକଟରେ ପତ୍ନୀର ଭଲପାଇବା ଓ ଭକ୍ତି ଭାବରେ ଦିନେ ଜମରାଜା ହାର ମାନିଥିଲେ । ସ୍ୱାମୀଙ୍କ ଜୀବନ ନେଇଥିବା ଜମରାଜା ପତ୍ନୀର ସମର୍ପିତ ଭକ୍ତିରେ ତୃପ୍ତ ହୋଇ ମୃତ ସ୍ୱାମୀଙ୍କ ଜୀବନ ଦାନ କରିଥିଲେ । ଆଜି ସେହି ପରମ୍ପରାକୁ ବଜାୟ ରଖି ସାରା ଓଡିଶାରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ଲାଲବାହାଦ୍ୱର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟି.ଏମ.ସି.) ବା ସଙ୍ଗରୋଧ କେନ୍ଦ୍ରରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଅନ୍ତେବାସୀ ମହିଳାମାନଙ୍କୁ ସାବିତ୍ରୀ ବ୍ରତ ଅବସରରେ ଶାଢି, ଶଙ୍ଖା, ସିନ୍ଦୁର, ଫଳମୂଳ ପ୍ରଭୃତି ଯୋଗାଇ ଦେଇଥିଲେ । ଏହି କେନ୍ଦ୍ରରେ ଅନ୍ତେବାସୀ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସେହିଭଳି କପାଳେଶ୍ୱର ପଂଚାୟତର ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାରୋ ପଂଚାୟତର ସଙ୍ଗରୋଧ କେନ୍ଦ୍ର ଏବଂ ଗୁଲନଗର ଉଚ୍ଚ ବିଦ୍ୟାଳୟ ପ୍ରଭୃତିରେ ସଂପୃକ୍ତ ପଂଚାୟତର ସରପଂଚମାନେ ଅନ୍ତେବାସୀ ମହିଳାମାନଙ୍କୁ ସାବିତ୍ରୀ ବ୍ରତ ପାଳନ ନିମନ୍ତେ ଶାଢି, ଶଙ୍ଖା, ସିନ୍ଦୁର, ଫଳମୂଳ ପ୍ରଭୃତି ଯୋଗାଇ ଦେଇଥିବା ବେଳେ ଅନ୍ତେବାସୀ ମହିଳାମାନେ ସେମାନଙ୍କ ସ୍ୱାମୀଙ୍କ ମଙ୍ଗଳମନାସୀ ସାବିତ୍ରୀ ବ୍ରତ ପାଳନ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଓ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ ଏହି ଅବସରରେ ଉପରୋକ୍ତ ସଙ୍ଗରୋଧ କେନ୍ଦ୍ର ଗୁଡିକ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ଠାରୁ ବିଭିନ୍ନ ବିଷୟରେ ପଚାରି ବୁଝିବା ସହିତ ଉପସ୍ଥିତ କେନ୍ଦ୍ର ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀମାନଙ୍କୁ ଅନ୍ତେବାସୀମାନଙ୍କ ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ସମୟରେ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ସରପଂଚ ଗାୟତ୍ରୀ ମହାନ୍ତି,ପୀତବାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ