ନିଶାମୁକ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଏକଲକ୍ଷ ଚିଠି ଲେଖାଯିବ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ବାଲେଶ୍ୱର ଜିଲ୍ଲା କମିଟି ତରଫରୁ ଓଡ଼ିଶାକୁ ମଦମୁକ୍ତ କରିବା ଦାବିରେ ଚଳିତ ମାସ ୨୪ ତାରିଖଠାରୁ ଶହଶହ ସଂଖ୍ୟାରେ ପୋଷ୍ଟକାଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବାକୁ ଶୁକ୍ରବାରଅପରାହ୍ନ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଶା ବିରୁଦ୍ଧରେ ଅଭିଯାନ ଚଳାଇଥିବା ଜନସାଧାରଣ ଏହି ପୋଷ୍ଟକାର୍ଡ଼ ଚିଠି ଲେଖା ଆନ୍ଦୋଳନରେ ଯୋଗଦେବାକୁ ବୈଠକରେ ନିବେଦନ କରାଯାଇଛି । ‘ମୋନା’ର ସଦସ୍ୟ ଥିବା ବ୍ୟକ୍ତିମାନେ ସର୍ବନିମ୍ନ ଦଶଜଣଙ୍କଠାରୁ ପ୍ରେରକଙ୍କ ନାମ ଓ ଠିକଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ପଠାଇବେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସର୍ବନିମ୍ନ ଏକଲକ୍ଷ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱର ଜିଲ୍ଲାରୁ ପଠାଯିବାକୁ କମିଟି ଲକ୍ଷ୍ୟଧାର୍ୟ୍ୟ କରିଛି । ଆସନ୍ତା ୨୪ ତାରିଖ ଦିନ ୧୦ଟାବେଳେ ବାଲେଶ୍ୱର ମୁଖ୍ୟ ଡାକଘରୁ ଶତାଧିକ ପୋଷ୍ଟକାର୍ଡ଼ ଏକକାଳୀନ ପଠାଯିବ । ସେହିପରି ଉକ୍ତଦିନ ଜିଲ୍ଲାର ସମସ୍ତ ଡାକଘରୁ ‘ମୋନା’ର ସ୍ଥାନୀୟ କର୍ମକର୍ତ୍ତାମାନେ ଏହି ଚିଠି ପଠାଇବା ଅଭିଯାନ ଆରମ୍ଭ କରିବାକୁ ବୈଠକରେ ନିବେଦନ କରାଯାଇଛି । ଆସନ୍ତା ଏପ୍ରିଲ୍ ୨ୟ ସପ୍ତାହରେ ‘ମୋନା’ର ବାର୍ଷିକ ସମ୍ମିଳନୀ ବାଲେଶ୍ୱର ସହରରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଭଳି ଚଳିତବର୍ଷ ମୁଖପତ୍ର ପ୍ରକାଶ ପାଇବ । ନିଶା ବିରୁଦ୍ଧରେ ଗତବର୍ଷ ଜିଲ୍ଲାରେ ଘଟିଥିବା ବିଭିନ୍ନ ଆନ୍ଦୋଳନ, ସଭା, ଶୋଭାଯାତ୍ରା ଓ ସଚେତନତା କାର୍ୟ୍ୟକ୍ରମର ଲିଖିତ ବିବରଣୀ ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ଲେଖକମାନେ ପଠାଇପାରିବେ । ପ୍ରକାଶଯୋଗ୍ୟ ଲେଖାଗୁଡ଼ିକ ମୁଖପତ୍ରରେ ପ୍ରକାଶିତ ହେବ । ଏହି ବୈଠକରେ ସୁବ୍ରତ କର, ପ୍ରସନ୍ନ କୁମାର ପାଢ଼ୀ, ଡଃ. କ୍ଷିତିଶ୍ୱର ଦାଶ, ଗୀତାଞ୍ଜଳି ସିଂହ, ପ୍ରଫୁଲ୍ଲ କୁମାର ଦାସ, କମଳାକାନ୍ତ ଦାଶ, ସ୍ୱର୍ଣ୍ଣଲତା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ଜେନା, ଅର୍ଚ୍ଚନା ନନ୍ଦୀ, ଅକ୍ଷୟ କୁମାର ତ୍ରିପାଠି, ଯୋଗେଶ ଚନ୍ଦ୍ର ପ୍ରଧାନ, ହେମଲତା ଦାସ, ସନାତନ ଦାସ, ସୀତାନାଥ ଦାସ, ମିନତୀ କର, ଗୌରାଙ୍ଗ ପାଣିଗ୍ରାହୀ ଓ ତ୍ରିଦିବ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୟାଧର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


