ନୂତନ କୋଠାଘର ନିର୍ମାଣ ପାଇଁ ଜିଲାପାଳଙ୍କୁ ଅଭିଯୋଗ
ନାଉଗାଁ,:ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତର ନହଡିପଡା ପ୍ରାଥମିକ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ତଥା ଶିକ୍ଷା ପରିଚାଳନା କମିଟିର ସଦସ୍ୟ ଗୁରୁବାର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯେଗା ମୁତାବକ ଏହି ବିଦ୍ୟାଳୟଟି ୭୦ ବର୍ଷର ଏକ ପୁରାତନ ବିଦ୍ୟାଳୟ । ଏହି ବିଦ୍ୟାଳୟର ଗୃହର ଆବଶ୍ୟକତା ଥିବା ବେଳେ ୧୨ବର୍ଷ ତଳେ ଏଠାରେ ଏକ ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଥିଲା । କିନ୍ତୁ ଗୃହ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ତାହା ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । ତେଣୁ ବିଦ୍ୟାଳୟରେ ପାଠ ପଢିବା ପାଇଁ ଅନ୍ୟଗୃହ ନଥିବାରୁ ଶିକ୍ଷା ବିଭାଗର ଅଧିକାରୀ ୨ବର୍ଷ ତଳେ ଉକ୍ତ ବିଦ୍ୟାଳୟକୁ ଖଇରାହୁଲି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିଥିଲେ । ଏହି ବିଦ୍ୟାଳୟରେ ଥିବା ବିଦ୍ୟାଳୟ ଗୃହଟିକୁ ବିପଦସଙ୍କୁଳ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ପିଲାମାନେ ଖଇରାହୋଲି ବିଦ୍ୟାଳୟକୁ ଯାଉଛନ୍ତି । ଏହି ବିଦ୍ୟାଳୟଟି ଆମ ଗ୍ରାମଠାରୁ ୨ କିମି ଦୁର ହୋଇଥିବା ବେଳେ ଛୋଟ ପିଲାମାନେ ସେଠାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଅପରପକ୍ଷେ ଆମ ଗ୍ରାମରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ପ୍ରାଥମିକ ବିଦ୍ୟାଳୟରେ କବାଟ,ଝରକା ଭାଙ୍ଗି ଯାଇଥିବା ବେଳେ ବିଭିନ୍ନ ପ୍ରକାର ବିଷଧର ସରସୃପ ସେଠାରେ ବସବାସ କରୁଛନ୍ତି । ଯାହାକି ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଛି । ଆହୁରି ମଧ୍ୟ ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ସଂଧ୍ୟା ହେଲେ ଅନେକ ଅସାମାଜିକ ବ୍ୟକ୍ତିଙ୍କର ଆଡ୍ଡା ଜମାଉଛନ୍ତି । ଏବିଷୟରେ ବାରମ୍ବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ନହଡିପଡା ପ୍ରାଥମିକ ବିଦ୍ୟାଳୟରେ ବିପଦ ସଙ୍କୁଳ ଗୃହକୁ ଭଙ୍ଗା ଯାଇ ନୂତନ ଗୃହ ନିର୍ମାଣ ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଏହି ଅଭିଯୋଗ ଗ୍ରାମର ବିରଂଚି କୁମାର ଦାସ, ସକିନା ଭୋଇ, ଜୟୀରାମ ଭୋଇ ଆଦି ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି ।


