ଓଆରଓପି-୨ ନିଷ୍ପତ୍ତିକୁ ପୂର୍ବସୈନିକ ଓ ବୀରନାରୀଙ୍କ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ୱାନ ର‌୍ୟାଙ୍କ ୱାନ ପେନସନ (ଓଆରଓପି)-୨ ଯୋଜନାରେ ପୂର୍ବ ସୈନିକ ଓ ବୀର ନାରୀଙ୍କ ପ୍ରତି ଭେଦଭାବ ତଥା ପାତରଅନ୍ତରକୁ ନେଇ ପ୍ରତିବାଦ ଜଣାଇଛି ଅଲ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନ । ଓଆରଓପି-୨ ବିରୋଧରେ ପୂର୍ବତନ ସୈନିକ ଓ ବୀର ନାରୀଙ୍କ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ଶାଖା ପକ୍ଷରୁ ବୁଧବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଏହ ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ ଲାଇନ ଛକ ସ୍ଥିତ ପ୍ରତିରକ୍ଷା ବିଭାଗର ଇସିଏଚଏସ ନିକଟରୁ ପୂର୍ବ ସୈନିକ ଓ ବୀରନାରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିକୂଳ ପରିବେଶରେ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପାଦନକୁ ସ୍ୱୀକୃତି ପ୍ରଦାନ ନିମନ୍ତେ ସମ୍ପ୍ରତି କେନ୍ଦ୍ର ସରକାର ଆରମ୍ଭ କରିଥିବା ମିଲିଟାରୀ ସର୍ଭିସ ପେ ଅନୁଯାୟୀ ସୈନିକଙ୍କ ପାଇଁ ୫,୨୦୦ ଟଙ୍କା, ଅଣ ସାମରିକ ମିଲିଟାରୀ ନର୍ସିଂ ଅଫିସରଙ୍କ ପାଇଁ ୧୦,୫୦୦ଟଙ୍କା ଓ କମିଶନଡ୍ ଅଫିସରଙ୍କ ପାଇଁ ୧୫,୫୦୦ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଯୁଦ୍ଧ କ୍ଷେତ୍ରରେ ଜୀବନକୁ ବାଜି ଲଗାଇ ଲଢୁଥିବା ସୈନିକ ଓ ଆଦୌ ଯୁଦ୍ଧ କ୍ଷେତ୍ରର ସମ୍ମୁଖୀନ ହେଉ ନଥିବା ଅଫିସରଙ୍କ କ୍ଷେତ୍ରରେ ଏହିଭଳି ଭେଦଭାବ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେମାନେ କହିଛନ୍ତି । ସେହିପରି ଯୁଦ୍ଧ କ୍ଷେତ୍ରରେ ଆହତ ହୋଇ ଶାରିରୀକ ଅକ୍ଷମ ହେଉଥିବା ସୈନିକମାନଙ୍କ ଅକ୍ଷମତା ପେନଶନକୁ ସରକାର ୨୭୭ ପ୍ରତିଶତ ବଢାଇଥିବା ବେଳେ ଅଫିସରଙ୍କ କ୍ଷେତ୍ରରେ ଏହା ୨ହଜାର ଗୁଣ ବଢାଯିବା କେଉଁ ନ୍ୟାୟରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଓଆରଓପି-୨ରେ ୫ବର୍ଷ ପରେ ହୋଇଥିବା ସଂଶୋଧନ ଅନୁଯାୟୀ ସୈନିକମାନଙ୍କ ପେନଶନ ୫ଶହରୁ ଅଢେଇ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଜେସିଓଙ୍କ ଠାରୁ ଓନରାରୀ ର‌୍ୟାଙ୍କ ପର୍ଯ୍ୟନ୍ତ କର୍ମଚାରୀଙ୍କ ପେନଶନ ୫ଶହରୁ ୫ହଜାର ପର୍ଯ୍ୟନ୍ତ କାଟ କରାଯାଇଛି । ମାତ୍ର ଅଫିସରମାନଙ୍କ କ୍ଷେତ୍ରରେ ଏହା ୬ହଜାର ରୁ ୧୨ହଜାର ପର୍ଯ୍ୟନ୍ତ ବଢାଯାଇଛି । ପୂର୍ବ ସୈନିକ ଓ ବୀରନାରୀଙ୍କୁ ପେନଶନ ପ୍ରଦାନ କ୍ଷେତ୍ରରେ ସମାନତା ଉପରେ କେନ୍ଦ୍ର ସରକାର କହୁଥିବା ବେଳେ ଏହା କେଉଁ ପ୍ରକାର ନିଷ୍ପତି ବୋଲି ଆସୋସିଏସନ କର୍ମକର୍ତାମାନେ ପ୍ରଶ୍ନ ଉଠାଇବା ସହ ଓଆରଓପି-୨ରେ ଏହି ବିସଙ୍ଗତି ଦୂର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସ୍ମାରକପତ୍ର୍ର ପ୍ରଦାନ ବେଳେ ଅଲ ଓଡିଶା ଭେଟେରାନ ସୋଲଜର୍ସ ଆସୋସିଏସନର ରାଜ୍ୟ ସଭାପତି ମହେଶ୍ୱର ବେହେରା, ବାଲେଶ୍ୱର ଶାଖା ସଭାପତି ଚିନ୍ତାମଣି ମହାପାତ୍ର, ଉପ-ସଭାପତି ଗଙ୍ଗାଧର ଦଳାଇ, ସମ୍ପାଦକ ଧୀରେନ୍ଦ୍ର କୁମାର ପଣ୍ଡା, ସହ ସମ୍ପାଦକ ଝାଡ଼େଶ୍ୱର ଦାସ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପାଣି, ମହେଶ୍ୱର ଗିରି, ଦିଗାମ୍ବର ପାଳ, ନାରାୟଣ ଚନ୍ଦ୍ର ମହାପାତ୍ର, ନେପାଳୀ ବେହେରା, ଗୟାରାମ ପାତ୍ର, ରାଧାନାଥ ରାଉତ, ନାରାୟାଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ