ପଡ଼ିଆରେ ଚାଲିଛି ପୋଖରୀ ପୁରରୁଦ୍ଧାର କାର୍ଯ୍ୟ ରାତିରେ ଲାଗୁଛି ମେସିନ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଲୋକଙ୍କୁ କାମ ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅଧିକ ଲାଭ ଆଶାରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଠିକାଦାର ପର୍ଯ୍ୟନ୍ତ ସମସ୍ତେ ବହୁ ସମୟରେ ମେସିନ୍ ଦ୍ୱାରା କାମ କରି ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ବହୁ ସମୟରେ ଦେଖିବାକୁ ମିଳିଥାଏ I ବର୍ତ୍ତମାନ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ପଂଚାୟତର ଆମ୍ବପୁଆ ଗ୍ରାମରେ I ସବୁଠାରୁ ବଡ଼ କଥା ହେଉଛି ଏଠାରେ ପୋଖରୀ ନଥାଇ ପଡ଼ିଆରେ ଚାଲିଛି ପୋଖରୀ ପୁନରୁଦ୍ଧାର I ସୂଚନା ଫଳକର ସୂଚନା ପ୍ରକାରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଗ୍ରାମର ଗଡ଼ ପଡ଼ିଆ ବନ୍ଧର ପୁନରୁଦ୍ଧାର ବା ଉନ୍ନତୀକରଣ ଆଠ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି I କିନ୍ତୁ ଗଡ଼ ପଡିଆ ଏକ ପଡ଼ିଆର ହିଁ ନାମ ଏବଂ ଏଠାରେ ପୂର୍ବରୁ କୌଣସି ପୋଖରୀ ନଥିବା ବେଳେ ପୋଖରୀ ଉନ୍ନତିକରଣ ପାଇଁ କେଉଁ ଆଧାରରେ କାର୍ଯ୍ୟାଦେଶ ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି I ଏତଦ୍ ବ୍ୟତୀତ ମନରେଗା ଯୋଜନା କାର୍ଯ୍ୟରେ କୌଣସି ପ୍ରକାର ମେସିନ୍ ଲାଗିବା ବେଆଇନ୍ ହୋଇଥିବା ବେଳେ ଏଠାରେ ୧୫ ଦିନରୁ ଊର୍ଦ୍ଧ୍ଵ ସମୟ ଧରି ଖୋଲାଖୋଲି ଭାବେ ମେସିନ୍ ଲାଗୁଥିବା ଦେଖିବାକୁ ମିଳିଛି I ଆଇନ୍ କୁ ଆଖି ଠାର କଲା ଭଳି ଏହି କାର୍ଯ୍ୟରେ ଦିନ ବେଳେ ମାତ୍ର ଚାରିଜଣ ଶ୍ରମିକ କାର୍ଯ୍ୟ କରୁ୍ଥିବା ବେଳେ ପ୍ରତିଦିନ ରାତିରେ ପୋଖରୀ କାର୍ଯ୍ୟରେ ମେସିନ୍ ର ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି I ଏନେଇ ସଂପୃକ୍ତ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ସେ ସରପଞ୍ଚଙ୍କ ସହ କଥା ହେବାକୁ କହି ଏଡାଯାଇଥିବା ବେଳେ ସଂପୃକ୍ତ ସରପଞ୍ଚ ଏନେଇ କୌଣସି ଉତ୍ତର ଦେଇନାହାଁନ୍ତି I ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ନିରପେକ୍ଷ ତଦନ୍ତ କରି ମେସିନ୍ ଲଗାଇ ଗରୀବ ଶ୍ରମିକଙ୍କ ଟଙ୍କା ଲୁଟୁଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ