ପରିବେଶ ଦିବସରେ ଗଛଟିଏ ଲଗାଇବା, ପରିବେଶକୁ ସୁରକ୍ଷିତ ରଖିବା
କିନ୍ତୁ ବୃକ୍ଷ ଛେଦନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି । ଏଥିସହିତ ତାଳ ଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି । ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା ଦିନକୁ ଦିନ କମିବାରେ ଲାଗିଛି । ପ୍ରତିବର୍ଷ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି ହେଲେ ଉପଯୁକ୍ତ ରକ୍ଷଣା ବେକ୍ଷଣର ଅଭାବ ଯୋଗୁ ଗଛଗୁଡ଼ିକ ତିଷ୍ଠିପାରୁ ନାହିଁ । କେବଳ ନାମକୁ ମାତ୍ର ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ପଦା ହେବା ଫଳରେ ମୂଲ୍ୟବାନ କିସମର ଗଛ ଲୋପ ପାଇଯାଉଛି । ଗଷ୍ଟ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି । ଏହାର ପ୍ରଭାବରେ ବଣ୍ୟପ୍ରାଣୀ ଜନବସତିକୁ ମୁହାଁଉଛନ୍ତି । ଏହି ବନ୍ୟପ୍ରାଣୀମାନେ ଜନବସତିକୁ ମୁହାଁଇ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି । ଫଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି । ବହୁ ପ୍ରଜାତିର ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ ଲୋପ ପାଇବାକୁ ଲାଗିଲାଣି । ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଚାଷରେ ବାଧା ସୃଷ୍ଟି ହେବା ଫଳରେ ଚାଷୀମାନେ ଚାଷକାର୍ଯ୍ୟରେ କ୍ଷତିର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଛନ୍ତି । ଫଳରେ ଏହାର ପ୍ରଭାବ ସମାଜ ଉପରେ ପଡୁଛି । ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଉଗ୍ରରୂପ ଧାରଣ କଲାଣି । ପାନୀୟ ଜଳ ପାଇଁ ଲୋକମାନେ ଡ଼ହଳ ବିକଳ ହେଉଛନ୍ତି । ଏଣୁ ବହୁ ପରିମାଣରେ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରିବା ସହ ତାହାର ଉପଯୁକ୍ତ ସୁରକ୍ଷା ନିଆଯାଇ କିପରି ଜଙ୍ଗଲ ପରିସୀମା ବୃଦ୍ଧି ପାଇବା ସହ ଏହାର ସବୁଜିମା ଓ ଘନତ୍ୱ ଫେରି ପାଇବ ସେଥିପାଇଁ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗଛ ଆମର ଏତେ ଉପକାରରେ ଆସୁଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀଙ୍କ ପ୍ରରୋଚନାରେ ଶହ ଶହ ଗଛ କଟାଚାଲିଛି । ଏହି ବ୍ୟବସାୟୀମାନେ ମୂଲ୍ୟବାନ ଗଛ କାଟି ତାକୁ ଚଢା ଦରରେ ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ରାଧେ ରାଧେ, ତମର ଅଧେକୁ ଆମର ଅଧେ ନ୍ୟାୟରେ ଏହି ମଉକାରେ ଫାଇଦା ଉଠାନ୍ତି ବିଭାଗୀୟ ଅଧିକାରୀ ଓ କିଛି ମୁଷ୍ଟିମେୟ ରାଜନେତା । ସେପଟେ ଶିଳ୍ପ ପ୍ରତିଷ୍ଠା ଓ କଳକାରଖାନା ତିଆରି ପାଇଁ ଶହ ଶହ ଜଙ୍ଗଲ ମରୁଭୂମିରେ ପରିଣତ ହେଉଛି । ବଳି ପଡ଼ୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାର ଗଛ । ଏହି କଳ କାରଖାନାର ମାଲିକମାନେ ପ୍ରଶାସନିକ ଅଧିକାରୀଙ୍କ ସହିତ ସଲାସୁତୁରା ହୋଇ ମୋଟା ଅଙ୍କର ଉତ୍କୋଚ ଦେଇ ଗଛ କଟାଯାଇ ସେଠାରେ ବିଭିନ୍ନ ପ୍ରକାର କଳ କାରଖାନା ତିଆରି ହେଉଛି । ଗଛ କାଟିବା ଯୋଗୁ ପରିବେଶ ତ ପ୍ରଦୂଷଣ ହେଉଛି, ଏହି କଳ କାରଖାନା ପ୍ରତିଷ୍ଠା ଫଳରେ ଏହାର ବିଷାକ୍ତ ଧୂଆଁ ବାୟୁ ମଣ୍ଡଳରେ ମିଶୁଥିବା ବେଳେ ଏଥିରୁ ନିର୍ଗତ କେମିକାଲଯୁକ୍ତ ମଇଳା ପାଣି ନଦୀ ଓ ନାଳରେ ମିଶି ବିଷାକ୍ତ ହେବାରେ ଲାଗୁଛି । ଫଳରେ ଏହି ନଦୀ ନାଳର ପାଣିକୁ ବ୍ୟବହାର କରି ମଣିଷ ଓ ପଶୁପକ୍ଷୀମାନେ ମୃତ୍ୟୁବରଣ କରିବା ସହିତ ମାରାତ୍ମକ ରୋଗର ଶିକାର ହେଉଛନ୍ତି । କଳ କାରଖାନାକୁ ଲାଗି ରହିଥିବା ବହୁ ଚାଷ ଉପଯୋଗୀ ଜମିରେ ବିଷାକ୍ତ ଧୂଆଁ ଓ କେମିକାଲ ପାଣି ମାଡୁଥିବାରୁ ଉକ୍ତ ଜମିରେ ଫସଲ ହୋଇପାରୁ ନାହିଁ । ଫଳରେ ଶହ ଶହ ଚାଷୀ ନିଜର ଜୀବିକା ହରାଇ ବସୁଛନ୍ତି । ଏଥି ପ୍ରତି ପ୍ରଶାସନ କିମ୍ବା କଳକାରଖାନାର ମାଲିକମାନେ ସଚେତନ ହେଉନାହାଁନ୍ତି, ବରଂ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ । ଗୋଟିଏ ପଟେ ପରିବେଶକୁ ସୁରକ୍ଷା ଦେବାକୁ ଯାଇ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ନେବାକୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଥିବା ବେଳେ ଅପର ପକ୍ଷରେ ଶିଳ୍ପ ପ୍ରତିଷ୍ଠା ଓ କଳ କାରଖାନା ପ୍ରତିଷ୍ଠା ନାମରେ କଟା ଚାଲିଛି ଲକ୍ଷ ଲକ୍ଷ ସଂଖ୍ୟରେ ଗଛ । ଏସବୁରୁ ବିରତ ରହି ମାନବ ସମାଜ ଓ ଜୀବଜଗତ ମଧ୍ୟରେ ସମନ୍ୱୟ ଭାବ ଜାଗ୍ରତ କରିପାରିଲେ ତାହା ପରିବେଶ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ । ଜୀବଜଗତରେ ପ୍ରତିଟି ଜୀବନ ମୂଲ୍ୟବାନ, ସେ ମନୁଷ୍ୟ ହୁଅନ୍ତୁ, ପଶୁ ହୁଅନ୍ତୁ, କୀଟପତଙ୍ଗ ଅବା ବୃକ୍ଷ । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବୃକ୍ଷ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାନବ ସମାଜ ପଶୁପକ୍ଷୀ, କୀଟପତଙ୍ଗ ଏବଂ ବୃକ୍ଷ ପ୍ରତି ନିଷ୍ଠୁରତା ନହୋଇ ଦୟାଶୀଳ ହେଲେ ତାହା ସମାଜ, ପରିବେଶ ତଥା ଜୀବଜଗତ ପାଇଁ ଫଳପ୍ରଦ ହୋଇଥାଏ । ତେଣୁ ଆସନ୍ତୁ ବିଶ୍ୱ ପରିବେଶ ଦିବସରେ ଗଛଟିଏ ଲଗାଇବା, ପରିବେଶକୁ ସୁରକ୍ଷିତ ରଖିବା ।
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର


