ପଲିଥିନ ତଳେ ବିତୁଛି ୫ ପ୍ରାଣୀଙ୍କର ଜୀବନ

ନାଉଗାଁ : ଜାମୁଗାଁ ପଂଚାୟତ ରଘୁନାଥପୁର ଗ୍ରାମରେ ଚନ୍ଦେଶ୍ୱର ଲେଙ୍କାଙ୍କ ଘର । ପରିବାର କହିଲେ ବୃଦ୍ଧା ମା କଷି ଦେଇ, ପତ୍ନୀ ଫୁଲଣା ସହିତ ୨ ପୁଅ । ପରିବାର କହିଲେ ଏହି ୫ ଜଣ । ଚନ୍ଦେଶ୍ୱର ଜଣେ ମୂର୍ତି କାରିଗର । ଦୀର୍ଘ ୩୦ ବର୍ଷ ହେବ ସେ ବିଭିନ୍ନ ପ୍ରକାର ମୂର୍ତି ନିର୍ମାଣ କରି ତାହାକୁ ବିକି ନିଜର ଗୁଜୁରାଣ ମେଂଟାଇ ଥାନ୍ତି । ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ । ଘରେ ୯୩ ବର୍ଷର ବୃଦ୍ଧା ମା,୨ ପିଲାଙ୍କ ପାଠ ପଢା ସହିତ ୨ ବେଳା ୨ ମୁଠା ଖାଇବା ଯୋଗାଡ କରିବା ଚନ୍ଦେଶ୍ୱରଙ୍କ ପାଇଁ କାଠିକରପାଠ । ବିଭିନ୍ନ ପର୍ବପର୍ବାଣି ଯଥା ଗଣେଶ ପୂଜା, ସରସ୍ୱତୀ ପୂଜା, ଖୁଦୁରୁକୁଣି ଆଦି ପର୍ବପର୍ବାଣୀରେ ଚନ୍ଦେଶ୍ୱର ମୂର୍ତି ତିଆରି କରି ବିକ୍ରି କରି ସେଥିରେ ନିଜର ଗୁଜୁରାଣ ମେଂଟାଇଥାନ୍ତି । ବର୍ତମାନ ଅତ୍ୟାଧୁନିକ ଯୁଗରେ ମେସିନ ଛାଂଚରେ ତିଆରି ମୂର୍ତୀ ବଜାରରେ ମିଳୁଥିବାରୁ ଚନ୍ଦେଶ୍ୱରଙ୍କ ହାତ ତିଆରି ମୂର୍ତୀର ଚାହିଦା ମଧ୍ୟ କମିଗଲାଣି । ଆଗ ଅପେକ୍ଷା ମୂର୍ତୀ ବିକ୍ରି କମିବାରୁ ଆର୍ଥିକ ବୋଝ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କର କଳାକାର ଓ ଗରିବ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଥିବା ବେଳେ ଚନ୍ଦେଶ୍ୱରଙ୍କୁ କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ମୁଣ୍ଡ ଗୁଞିବା ପାଇଁ ଘର ଖଣ୍ଡେ ନଥିବା ବେଳେ ୫ ପ୍ରାଣୀ ପଲିଥିନ ତଳେ ଏବେ ବି ଜୀବନ ନିର୍ବାହ କରୁଛନ୍ତି । ଘର ଥିଲା ବାଲା ଲୋକ ଘର ପାଉଥିବା ବେଳେ ବର୍ଷ ବର୍ଷ ଧରି ପଲିଥିନ ତଳେ ରହି ବାରମ୍ବାର ଘର ପାଇଁ ଆବେଦନ କଲେ ମଧ୍ୟ ତାଙ୍କ ଆବେଦନକୁ ବିଚାରକୁ ନିଆଯାଉ ନାହିଁ । ଯାହା ତାଙ୍କୁ ଚକିତ କରିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଜେ ଘର ଖଣ୍ଡେ କରିପାରୁ ନାହାନ୍ତି । ବର୍ତମାନ ବିଭିନ୍ନ ପଂଚାୟତକୁ ଘର ଆସିଥିବା ବେଳେ ଚନ୍ଦେଶ୍ୱର ଆବେଦନ କରିଥିଲେ ମଧ୍ୟ ଉକ୍ତ ପଂଚାୟତର ତାଲିକାରୁ ତାଙ୍କ ନାମ ନଥିବା ଜଣାଯାଇଛି । ସେହିପରି ନିଜେ ଜଣେ କାରିଗର ହୋଇଥିବା ବେଳେ ନିଜର ବ୍ୟବସାୟକୁ ଅତ୍ୟାଧୁନିକ ଢଙ୍ଗରେ କରିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ କରିପାରୁ ନାହାନ୍ତି । କେବଳ ଯେ ଘର ତାଙ୍କୁ ମିଳୁ ନାହିଁ ସେ କଥା ନୁହେଁ ଜଣେ ମୂର୍ତି କାରିଗର ହୋଇ ବି ସରକାରଙ୍କ କଳାକାର ଭତା ଯୋଜନାରୁ ସେ ବଂଚିତ ହୋଇଥିବା ଜଣାଯାଇଛି । ବାରମ୍ବାର କଳାକାର ଭତା ପାଇଁ ଆବେଦନ କଲେ ମଧ୍ୟ ତାଙ୍କ ଆବେଦନ ବିଚାରକୁ ନିଆଯାଉନାହିଁ । କଳାକାର ଭତା ପାଇଲେ ହୁଏତ ପରିବାରକୁ କିଛିଟା ସହାୟତା ହୋଇପାରନ୍ତା ବୋଲି ସେ କହିଛନ୍ତି । କଳାକାର ଭତା ସହିତ ବାସଗୃହ ଖଣ୍ଡେ ଯୋଗାଇ ଦେବା ପାଇଁ ସେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ