ପାଦଚଲା ପୋଲ ନିର୍ମାଣ ସ୍ଥାନ ପରିବର୍ତ୍ତନ ପାଇଁ ଆଦିବାସୀଙ୍କ ଗୁହାରୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ଗାଁ ନାଳ ଉପରେ ଏକ ପାଦଚଲା ପୋଲ ନିର୍ମାଣ ଆଳରେ ଗରିବ ଆଦିବାସୀଙ୍କ ଘର ଭାଙ୍ଗିବା ନେଇ ଠିକାଦାର ଓ ଆସାମାଜିକ ବ୍ୟକ୍ତିଙ୍କ ଉଦ୍ୟମକୁ ବିରୋଧ କରି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ମୁଲଣାନଗର ଅଞ୍ଚଳର ଏକାଧିକ ଆଦିବାସୀ ପରିବାର । ସେମାନଙ୍କ ଅଭିଯୋଗ ଅନୁସାରେ ଏହି ଅଞ୍ଚଳ ରେ ଥିବା କାଙ୍କଡ଼ଯୋଡ଼ି ନାଳରେ ଏବେ ଏକ ପଦଚଲା ପୋଲ ତିଆରି ହେଉଛି । ପୋଲ ତିଆରି ପାଇଁ ପ୍ରଶସ୍ତ ସ୍ଥାନ ଥିବା ସତ୍ତ୍ୱେ ଠିକାଦାର ଓ ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତି ସେଠାରୁ ଆଦିବାସୀ ପରିବାରଙ୍କୁ ଉଠାଇବାକୁ ଉଦ୍ୟମ କରୁଥିବା ସେମାନେ ଆରୋପ କରିଛନ୍ତି । ସେମାନଙ୍କ ଘରକୁ ଭାଙ୍ଗିବା ସହ ଅନ୍ୟତ୍ର ଚାଲିଯିବା ପାଇଁ ଏହି ଠିକାଦାର ଓ ସ୍ଥାନୀୟ ଲୋକେ ଧମକ ଦେଉଥିବା ସେମାନେ କହିଛନ୍ତି । ପାଦଚଲା ପୋଲ ନିର୍ମାଣକୁ ସେମାନେ ସ୍ୱାଗତ କରୁଥିଲେ ବି ନାଳ ପାଶ୍ୱର୍ରେ ଥିବା ପ୍ରଶସ୍ତ ଜାଗାର ଆଦିବାସୀ ବସ୍ତିଠାରୁ କିଛି ଦୂରର ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି । ଜାଗ୍ରତ ନାରୀ ସଂଘ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଆଦିବାସୀ ପରିବାରମାନେ ସୋମବାର ଜିଲାପାଳଙ୍କୁ ସାକ୍ଷାତ ସହ ପୋଲ ନିର୍ମାଣ ସ୍ଥାନ ପରିବର୍ତ୍ତନ ପାଇଁ ନେହୁରା ହୋଇଛନ୍ତି । ଏନେଇ ଏକ ଆପତ୍ତି ପତ୍ର ସେମାନେ ଅତରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି I ଆପତ୍ତି ପତ୍ର ପ୍ରଦାନ ବେଳେ ମାନସ ସୋରେନ, ଶ୍ୟାମସୁନ୍ଦର ହେମ୍ରମ, ରବି ମୁର୍ମୁ, ଜିତୁ ମୁର୍ମୁ, ଗୋପୀନାଥ ସୋରେନ, ପୂଜା ହେମ୍ରମ, ମିଲି ହେମ୍ରମ, ସୀମା ହେମ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।


