ପାରଳା ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କୁ ଡିଜିପି ଆୱାର୍ଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀଙ୍କ ସମେତ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ୫ ପୋଲିସ କର୍ମଚାରୀଙ୍କୁ ଡିଜିପି ଆୱାର୍ଡ ପ୍ରଦାନ କରାଯାଇଛି । ନିଜର କା ର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଓଡିଶା-ଆନ୍ଧ୍ର ସୀମା ସୁରକ୍ଷା ଠାରୁ ଆରମ୍ଭ କରି ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ଏହି ପୋଲିସ ଅଧିକାରୀମାନେ ଉତ୍ତମ ଓ ଦାୟିତ୍ୱବାନ ସେବା ପ୍ରଦାନ ସହ ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ ଏପରିକି କରୋନା ସମୟରେ ଲୋକଙ୍କୁ ସଚେତନ କରିବାରେ ଆଗଧାଡିରେ ଥିବା ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଆର୍.ଉଦୟଗିର ଥାନାରେ କାର୍ଯ୍ୟରତ ଥିବା ଏସ୍ଆଇ ହେମନ୍ତ ସେଠୀ, ପାରଳା ଆଦର୍ଶ ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିଜୟ କୁମାର ସୁନାଶଗଡ, ହାବିଲଦାର ଲକ୍ଷ୍ମଣ ଭୂୟାଁ ପ୍ରମୁଖ ୫ଜଣଙ୍କୁ ସରକାରଙ୍କ ୫ଟି ନିର୍ଦ୍ଦେଶକ୍ରମେ ଡିଜିପିଙ୍କ ଆୱାର୍ଡ ପ୍ରଦାନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଗଜପତିଏସ୍ପି ଜୟରାମ ଶତପଥୀଙ୍କ ସମ୍ମିଳନୀ କକ୍ଷରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଡିଜିପିଙ୍କ ଏହି ଆୱାର୍ଡ ପାଇବା ପରେ ନିଜ ନିଜକୁ ଧନ୍ୟ ମନେ କରି ଏମାନେ କହିଛନ୍ତି, ଲୋକଙ୍କ ସେବା ପାଇଁ କାମ କରି ଆସିଛୁ ଓ ଆଗାମୀ ଦିନରେ କରି ଚାଲିଥିବୁ ।


