ପାରାଦୀପ ଇନ୍ଦିରା ପାର୍କ ନିକଟରେ ଭୁଜାଲି ଦେଖାଇ ୩ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଲୁଟ୍ ଅଭିଯୋଗ

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ନେହେରୁ ବଙ୍ଗଳା ରାସ୍ତାର ଇନ୍ଦିରା ପାର୍କ ନିକଟରେ ୪ଜଣ ଦୁର୍ବୁତ ଦୁଇଟି ମୋଟର ସାଇକେଲରେ ଆସି ଭୁଜାଲି ଦେଖାଇ ୩ଲକ୍ଷ ୧୦ହଜାର ୨୨୦ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପାରାଦୀପ ନେହେରୁ ବଙ୍ଗଳାରେ ଥିବା ଲାଇସେନ୍ସ ପ୍ରାପ୍ତ ଏକ ଦେଶୀ ମଦ ଦୋକାନୀର କର୍ମଚାରୀ ସାଇମନ୍ ମାଝି ସମସ୍ତ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ସ୍କୁଟି ଗାଡି ସାହାର୍ଯ୍ୟରେ ଜମା କରିବା ପାଇଁ ପୂର୍ବାହ୍ନରେ ବ୍ୟାଙ୍କକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗାଡି ସମ୍ମୁଖରେ ୪ଜଣ ଦୁର୍ବୁତ ପହଂଚି ଗାଡିକୁ ଅଟକାଇ ଭୁଜାଲି ଦେଖାଇ ସମସ୍ତ ଟଙ୍କା ଲୁଟି ଫେରାର ହୋଇ ଯାଇଥିବା ନେଇ ମଦ ଦୋକାନ କର୍ମଚାରୀ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦିଆଯିବା ପରେ ଥାନାଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଗାଡି ମାନଙ୍କୁ ଯାଂଚ୍ କରିବା ସହ ତଦନ୍ତ ଆରମ୍ଭ କରିଛି । ଏଠାରେ ପ୍ରକାଶ ଥାଉକି, ଶିଳ୍ପ ଓ ବନ୍ଦର ସହରରେ ବହୁ ଛୋଟ ବଡ ବ୍ୟବସାୟୀମାନେ ପ୍ରତ୍ୟେକ ଦିନ ବ୍ୟାଙ୍କରେ ଅର୍ଥ ଜମା ଓ ଉଠାଣ କରିଥାନ୍ତି । ପୂର୍ବରୁ ଏହି ପରି ବ୍ୟକ୍ତି ମାନଙ୍କ ଠାରୁ ରାସ୍ତାରୁ ଅର୍ଥ ଲୁଟ୍ ହୋଇଥିବାର ନଜିର ରହିଛି । ତେବେ ପୋଲିସ ପ୍ରସାଶନ ପକ୍ଷରୁ ଅନେକ ଥର ବିଭିନ୍ନ ବୈଠକ ଓ ସଚେତନତା ମାଧ୍ୟମରେ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବ୍ୟାଙ୍କରେ ଅର୍ଥ ଉଠାଣ ଓ ଜମା ସମୟରେ ସତର୍କତା ଅବଲମ୍ବନ କରିବା ଏବଂ ଆବଶ୍ୟକ ପଡିଲେ ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା । ତେବେ କିଛି ଏହାକୁ ମାନୁଥିବା ବେଳେ ଆଉ କେତେକଙ୍କ ବେପାରୁଆ ମନୋଭାବ ଯୋଗୁଁ ଏପରି ଘଟିଲା ବୋଲି ଆଲୋଚନା ହେଉଛି । କିନ୍ତୁ ଆଜିର ଏହି ଘଟଣାରେ କେତେ ସତ୍ୟତା ଅଛି, ତାହା ପୋଲିସ ତଦନ୍ତ ପରେ ଜଣା ପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ