ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଙ୍କ ପ୍ରୟାସ : ସ୍ପଷ୍ଟିକରଣ ଦେଲେ ବନ୍ଦର କର୍ତ୍ତୃପକ୍ଷ
ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପର ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଗଲାଣି । ପ୍ରାୟତଃ ପ୍ରତିଦିନ ଘଟୁଛୁ ଦୂର୍ଘଟଣା । ଏହାକୁ ଦୃଷ୍ଟିରେ ରଖି ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ । ପ୍ରଶାସନକୁ ଏ ଦିଗରେ ଅଧିକ କ୍ରିୟାଶୀଳ କରିବା ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଏହା ପରେ ଆକ୍ସନ ମୋଡ୍କୁ ଆସିଯାଇଥିଲା ଜିଲ୍ଲା ପ୍ରଶାସନ । ପାରାଦୀପ ବନ୍ଦର, ପାରାଦୀପ ପୌର ପାଳିକା ଓ କୁଜଙ୍ଗ ତହସିଲକୁ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାରାଦୀପ ଉପକଣ୍ଠ ଦୋଛକି ନିକଟରେ ୩୦.୧୪ ଏକର ଖାଲି ଯାଗାରେ ବାଲି ପୋତି ଅସ୍ଥାୟୀ ଭାବେ ଟ୍ରକ୍ ଟର୍ମିନାଲ ପାଇଁ ଜିଲ୍ଲାପାଳ ଗତ ଜୁନ୍ ମାସ ୧୮ ତାରିଖରେ ପତ୍ର୍ସଂଖ୍ୟା ୮୪୩୩ ରେ ଚିଠି କରିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାରାଦୀପ ବନ୍ଦର ମଧ୍ୟକୁ ଯାଆସ କରୁଥିବା ଟ୍ରକଗୁଡିକୁ ସୁବ୍ୟବସ୍ଥିତ ଭାବେ ପାର୍କିଂ କରିବା ପାଇଁ ଦୋଛକି ଠାରେ ଏକ ସ୍ଥାୟୀ ବିଶ୍ୱସ୍ତରୀୟ ଟ୍ରକ ଟର୍ମିନାଲ ନିର୍ମାଣ ଲାଗି ପାରାଦୀପ ବନ୍ଦର ଅଣ୍ଟା ଭିଡିଥିବା ନେଇ ବନ୍ଦର ପ୍ରଶାସନ ପକ୍ଷରୁ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି । ଏହି ମର୍ମରେ ଗତ ସପ୍ତାହରେ ବନ୍ଦରର ବରିଷ୍ଠ ଅଧିକାରୀ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସହ ଟର୍ମିନାଲର ସବିଶେଷ ରୂପରେଖ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ହେଲେ, ବନ୍ଦର କର୍ତ୍ତୃପକ୍ଷ ଭବିଷ୍ୟତକୁ ଲକ୍ଷ୍ୟ ରଖି ସେଠାରେ ଏକ ସ୍ଥାୟୀ ବିଶ୍ୱସ୍ତରୀୟ ଟ୍ରକ ଟର୍ମିନାଲ ନିର୍ମାଣ ଲାଗି ଜାତୀୟ ରାଜପଥ କଡକୁ ଜବରଦଖଲ ନଥିବା ଜାଗା ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ପାରାଦୀପ ବନ୍ଦର ପକ୍ଷରୁ ପ୍ରସ୍ତାବିତ ଏହି ଟର୍ମିନାଲରେ ଅନ୍ୟୂନ ଏକ ହଜାର ଟ୍ରକ ପାର୍କିଂର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ରହିବ । ଏହାଦ୍ୱାରା ବନ୍ଦରକୁ ଯାଉଥିବା ରାସ୍ତାରେ ଯାତାୟତ ସୁଗମ ଓ ସୁରକ୍ଷିତ ହେବ । ଏ ଦିଗରେ ଜିଲ୍ଲା ପ୍ରଶାସନ ଠାରୁ ଖୁବ ଶୀଘ୍ର ସବୁଜ ସଙ୍କେତ ମିଳିବାକୁ ଯାଉଛି । ହେଲେ କିଛି ଗଣମାଧ୍ୟମରେ ବନ୍ଦର ବିରୁଦ୍ଧରେ ନାକାତ୍ମକ ଖବର ପ୍ରକାଶକୁ ବନ୍ଦର କତ୍ୃର୍ପକ୍ଷ ଏହି ପ୍ରେସ୍ ଇସ୍ତାହାର ମାଧ୍ୟମରେ ଖଣ୍ଡନ କରିଛନ୍ତି । ଉଭୟ ସ୍ଥାନୀୟ ପ୍ରଶାସନ ଓ ବନ୍ଦର କର୍ତୃପକ୍ଷ ମିଳିତ ସମନ୍ୱୟରେ ସ୍ଥାନୀୟ ଅଧିବାସୀଙ୍କ ସ୍ୱଚ୍ଛନ୍ଦ ଗମନାଗମନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗି ଅହରହ କାର୍ଯ୍ୟରତ ବୋଲି ବନ୍ଦର ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।


