ପାଲାଗାୟକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଠାକୁର ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଜୁଇଦାସପୁର କଣ୍ଟାପଦାସ୍ଥିତ ଜିଲ୍ଲା ଭକ୍ତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଲାଗାୟକ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତି ପ୍ରକୃତିବନ୍ଧୁ ଗାୟକ ଗଗନବିହାରୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପାଲା ଗାୟକମାନେ ଯୋଗଦେଇ ପାଲା ବିଦଗ୍ଧ ଲୋକକଳା ସଂସ୍କୃତି ଉପରେ ଆଲୋଚନା କରିଥିଲେ । ପାଲା ଓ କେନ୍ଦରା ଗୀତ ଗାୟକ କ୍ଷୀରୋଦ କୁମାର ନାଥ ପାଲାର ଉଥାନ ପତନ ଏବଂ ପାଲା ଜନାଦୃତ ହେବା ନହେବା ପାଲା ପରିବେଷଣ ଉପରେ ନିର୍ଭର କରେ ବୋଲି ବକ୍ତବ୍ୟ ରଖିଥିଲେ । ଆସନ୍ତା ଫେବୃୟାରୀମାସ ପ୍ରଥମ ସପ୍ତାହରେ ଦୁଇଦିନ ଧରି ଜିଲ୍ଲା ପାଲାଗାୟକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଜିଲ୍ଲାର ସର୍ବାଧିକ ବୟଷ୍କ, ଦକ୍ଷ, ଯୋଗ୍ୟ ପାଲା ଗାୟକ, ବାୟକ, ପାଳିଆ ଓ ସଂଗୀତ କଣ୍ଠଶିଳ୍ପୀଙ୍କୁ ପ୍ରତି ବ୍ଲକରୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି । ଜିଲ୍ଲା ବାହାର ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲାର ୧୦ଜଣ ଯୋଗ୍ୟ କଳାକାରଙ୍କୁ ସମ୍ବର୍ଦ୍ଦିତ କରାଯିବାକୁ ଚୈାଦ୍ୱାରର ତାନ୍ତ୍ରିକ କବିବାବା ଆନନ୍ଦାନନ୍ଦ ମହାରାଜ ଏକ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା କଳାକାର ପରିଚୟ ପୁସ୍ତକ “କେନ୍ଦ୍ରାପଡା କଳା ଚନ୍ଦ୍ରିକା” ସମ୍ମିଳନୀର ପ୍ରଥମ ଦିବସରେ ଉନ୍ମୋଚନ ହେବ । ଏହି ସମ୍ମିଳନୀରେ ଦୁଇ ଦଳ ଗାୟକ ଓ ଦୁଇ ଦଳ ଗାୟିକା ପାଲା ପରିବେଷଣ କରିବେ । ଗାୟକ ଅଭୟ କୁମାର ଶତପଥୀ ବେଦପାଠ କରିଥିବା ବେଳେ ଗାୟକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରାରମ୍ଭିକ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଭକ୍ତି ସଂଗୀତ ଗାନ କରିଥିଲେ । କଣ୍ଠଶିଳ୍ପୀ ଗୁଣମଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗାୟକ ସନାତନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ