ପିଏମଜିଏସୱାରେ ଦାନ୍ତୁଆଳ-ଜାମୁଗାଁ ରାସ୍ତା ଅବଧି ସରିଲାଣୀ ସରୁନି କାମ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜନବସତି ଗ୍ରାମ ଗୁଡିକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ରାସ୍ତା ସଂଯୋଗୀକରଣ ଓ ରାସ୍ତା ଉନ୍ନତିକରଣ କରାଯାଉଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ନୂତନ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି । କିନ୍ତୁ ବିଭାଗୀୟ ଯନ୍ତ୍ରୀଙ୍କ ଦାୟିତ୍ୱହୀନତା ଓ ଠିକାଦାରଙ୍କ ଲାଭଖୋର ମନୋବୃତି ଯୋଗୁଁ କେଉଁଠି ବର୍ଷେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠି ଖାଲଖମାରେ ପରିଣତ ହେଉଛି ତ ଆଉ କେଉଁଠି ରାସ୍ତାରୁ ମାଟି ଧସି ରାସ୍ତା ଦବୁଛି । ଏପରିକି ରାସ୍ତା ନିର୍ମାଣ କାର୍ଯ୍ୟର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ରାସ୍ତାର କାର୍ଯ୍ୟ ଶେଷ ହେଉନାହିଁ । ଏହିଭଳି କାର୍ଯ୍ୟ ଦେଖିବାକୁ ମିଳୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଲକ ଦାନ୍ତୁଆଳ-ଜାମୁଗାଁ ରାସ୍ତା କ୍ଷେତ୍ରରେ । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟର ଅବଧି ୬ ମାସରୁ ଉର୍ଦ୍ଧ ଦିନ ହେବ ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁ ନଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅଲଣାହାଟ ଏମଡିଆର ଠାରୁ ଶିଖରଘାଟ (ଦାନ୍ତୁଆଳ ଠାରୁ ଜାମୁଗାଁ)କୁ ଗ୍ରାମ୍ୟ ଉନ୍ନୟନ ବିଭାଜନ ଜଗତସିଂହପୁର ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି । ସୂଚନା ଫଳକ ତଥ୍ୟ ଅନୁସାରେ ଏହି ରାସ୍ତା ନିର୍ମାଣ ବାବଦକୁ ୨ କୋଟି ୩୮ଲକ୍ଷ ୬ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ରାସ୍ତାର ଦୈର୍ଘ୍ୟ ୫ କିଲୋମିଟର ରହିଥିବା ବେଳେ ଏଥିମଧ୍ୟରୁ ପିଚୁ ରାସ୍ତା ୨ କିମି ୭୮୦ ମିଟର ଓ କଂକ୍ରିଟ ରାସ୍ତା ୨ କିଲୋମିଟର ୨୨୦ମିଟର ରହିଛି । ଉକ୍ତ ରାସ୍ତାର କାର୍ଯ୍ୟ ୨୦୧୯ ଜାନୁଆରୀ ୧୫ରୁ ଆରମ୍ଭ କରାଯାଇ ୨୦୨୦ ଜାନୁଆରୀ ୧୪ ତାରିଖ ଭିତରେ ଶେଷ କରିବା ପାଇଁ ସୂଚନା ଫଳରେ ଦର୍ଶାଯାଇଛି । ଉକ୍ତ ରାସ୍ତା କାର୍ଯ୍ୟର ତଦାରଖ ଦାୟିତ୍ୱ ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ ଦିଆଯାଇଛି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ କାର୍ଯ୍ୟର ଅବଧି ସରିବାର ୬ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଦେଖିବାକୁ ମିଳୁଛି । ଅନ୍ୟପଟରେ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଏଷ୍ଟିମେଟ ଅନୁସାରେ ସାମଗ୍ରୀ ବ୍ୟବହାର ନ କରି ନିଜ ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ