ପୁଣି ଏକାଠି ଆସିବେ ପ୍ରିୟଙ୍କା ଓ ରଣବୀର
“ଗୁଣ୍ଡେ’, “ବାଜିରାଓ ମସ୍ତାନୀ’ ଓ “ଦିଲ୍ ଧଡକନେ ଦୋ’ ଭଳି ଫିଲ୍ମରେ ଏକାଠି କାମ କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଷ୍ଟାଇଲିଶ୍ ବୟ ରଣବୀର ସିଂହ ପୁଣି ଥରେ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି । ବଲିଉଡର ଷ୍ଟାର୍ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ଆଗାମୀ ଫିଲ୍ମ “ବୈଜୁ ବାୱାରା’ରେ ଏ ଦୁହେଁ ଲିଡ୍ ରୋଲରେ ଅଭିନୟ କରିବେ ବୋଲି ଜଣାପଡ଼ଛି ।
ଛଅ ଦିନ ତଳେ ଦୀପାବଳି ଅବସରରେ ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହାର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ପେଜରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା । ଏହା ସଞ୍ଜୟ ଲୀଲା ଭଂଶାଲୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ବୋଲି ଏଥିରେ ଲେଖାଯାଇଥିଲା । ଏହା ସହିତ ଫିଲ୍ମଟି ୨୦୨୧ ଦୀପାବଳିରେ ରିଲିଜ୍ ହେବ ବୋଲି ଉଲ୍ଲେଖ କରାଯାଇଥିଲା । ଏଥିରେ କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟଙ୍କ ସମ୍ପର୍କରେ କିଛି ଲେଖା ଯାଇ ନଥିଲା ।
ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହି ନୂଆ ଫିଲ୍ମ ସମ୍ପର୍କରେ ସୂଚନା ଦିଆଯିବାର ବେଶ୍ କିଛି ଦିନ ପୂର୍ବରୁ ରଣବୀରଙ୍କୁ ବାରମ୍ବାର ସଞ୍ଜୟ ଲୀଲା ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା । ସେତେବେଳଠାରୁ ଚର୍ଚ୍ଚା ହେଉଥିଲା ଯେ ଭଂଶାଲୀ ଓ ରଣବୀର ନିଶ୍ଚିତ ଆଗକୁ କୌଣସି ଫିଲ୍ମ କରିବେ । ଆଉ ଏବେ ଭଂଶାଲୀଙ୍କ ଏହି ଫିଲ୍ମ ଘୋଷଣା ପରେ ସେହି ଚର୍ଚ୍ଚା ସତ ପାଲଟି ଯାଇଛି । ସୂଚନାଯାଗ୍ୟ, “ଗାଲିୟାଁ କୀ ରାସଲୀଲା ରାମଲୀଲା’, “ପଦ୍ମାବତ’, ଓ “ବାଜିରାଓ ମସ୍ତାନୀ’ ଫିଲ୍ମରେ ଭଂଶାଲୀ ଓ ରଣବୀର ଏକାଠି କାମ କରିଛନ୍ତି । ଦୁହିଁଙ୍କ ଫିଲ୍ମକୁ ଦର୍ଶକ ବି ବେଶ୍ ପସନ୍ଦ କରିଛନ୍ତି ।


