ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସକାଳ ୬ଟାରେ କାଳୀ ଘାଟରେ ତିଳତର୍ପଣ କରାଯିବା ସହ ୭ ଟା ୩୦ମି.ରେ କେନ୍ଦ୍ରାପଡ଼ା ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହାପରେ ନୂଆ ବସଷ୍ଟାଣ୍ଡ ଓ ମେଡିକାଲ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ସକାଳ ୯ଟାରେ ପୌର ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ବିଜୁ ଯୁବ, ଛାତ୍ର, ମହିଳା ସଙ୍ଗଠନର ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୪୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବିଜୁ ପ୍ରେମୀମାନେ ଆଗ୍ରହର ସହ ରକ୍ତଦାନ କରି ମେଡିକାଲରେ ଦେଖା ଦେଇଥିବା ରକ୍ତର ଅଭାବକୁ ଅନେକାଂଶରେ ପୂରଣ କରିଛନ୍ତି ବୋଲି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ନଗରପାଳ ସରିତା ସାହୁ କହିଛନ୍ତି । ଉଭୟ ବିଧାୟକ ଓ ନଗରପାଳ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଫଳରେ ରକ୍ତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୬ରେ ପହଞ୍ଚିଥିଲା । କାରଣ ଆଶା କରାଯାଉଥିଲା ରକ୍ତଦାତାଙ୍କ ସଂଖ୍ୟା ୧୦୦ ଟପିବ ନାହିଁ । ହେଲେ ଗ୍ରୀଷ୍ମ ପ୍ରଭାବ ସତ୍ତ୍ୱେ ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ ପୌରାଞ୍ଚଳ ଓ ବିଭିନ୍ନ ପଞ୍ଚାୟତର ଯୁବକମାନଙ୍କୁ ରକ୍ତଦାନ କରିବା ପାଇଁ ନିବେଦନ କରିଥିଲେ । ଫଳରେ ବହୁ ସଂଖ୍ୟାରେ ଯୁବକମାନେ ଆସି ରକ୍ତଦାନ କରିଥିଲେ । ନଗରପାଳ ଶ୍ରୀମତୀ ସାହୁ କହିଥିଲେ ବର୍ତ୍ତମାନ ଡାକ୍ତରଖାନାରେ ଯେଭଳି ଭାବେ ରକ୍ତର ଅଭାବ ଦେଖା ଦେଇଛି ସେହି ଅଭାବକୁ ଏଭଳି ରକ୍ତଦାନ ଶିବିର ପୁରଣ କରିବାରେ ବେସ ସହାୟକ ହୋଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଓଡିଶା ମୋ ପରିବାରର ସହ ସଂଯୋଜକ ହିରଣ୍ୟ ପଣ୍ଡା, ଉପନଗରପାଳ ଅକବରୀ ଖାତୁନ, ବ୍ଲକ ଉପାଧ୍ୟକ୍ଷା ପ୍ରତାପ ମହାପାତ୍ର, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା, ମହିଳା ସଭାପତି ରୋସ୍ନା ସାହୁ, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ବ୍ଲକ ସଭାପତି ଆଲୋକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ଲିଲିତା ଦାସ, ମଧୁଛନ୍ଦା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


