ପୂର୍ବତନ ବାଂଲାଦେଶ ମୁଖ୍ୟ ବିଚାରପତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ
ଢାକା : ବାଂଲାଦେଶର ପୂର୍ବତନ ମୁଖ୍ୟ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ହେରଫେର ମାମଲାରେ ସିହ୍ନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ ସୋମବାର କୋର୍ଟ ସିହ୍ନାଙ୍କ ଗିରଫଦାରୀ ଆଦେଶ ଦେଇଛନ୍ତି । ବାଂଲାଦେଶରୁ ପଳାୟନ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଆତ୍ମଗୋପନ କରିଥିବା ସିହ୍ନାଙ୍କ ନାମରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଜାନୁୟାରୀ ୨୨ ତାରିଖ ମଧ୍ୟରେ ସିହ୍ନାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ପୋଲିସ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସିହ୍ନା ୧୩ ଅକ୍ଟୋବର, ୨୦୧୭ରେ ଦେଶ ଛାଡି ପଳାୟନ କରିଥିଲେ ଏବଂ ୧୦ ନଭେମ୍ବର, ୨୦୧୭ରେ ବିଦେଶରୁ ନିଜର ଇସ୍ତଫା ପ୍ରଦାନ କରିଥିଲେ । ଜାନୁୟାରୀ ୨୦୧୫ରେ ସିହ୍ନାଙ୍କୁ ବାଂଲାଦେଶର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।


