ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପରଲୋକ
ଭୁବନେଶ୍ବର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତୀ ମିଶ୍ର ଆଉ ଇହଲୋକରେ ନାହାନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟରେ ‘ଭାବ ଓ ଅଭିନୟ’ର ପରିପ୍ରକାଶ ପାଇଁ ମିନତୀ ବେଶ୍ ଜଣାଶୁଣା । ସେ ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ୧୯୬୩ରେ ପ୍ରଥମ ଥର ପାଇଁ ସେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପରେ ପରେ ସେ ‘ଭାଇଭାଉଜ’, ‘ଜୀବନସାଥୀ’, ‘ସାଧନା’ ଓ ‘ଅରୁନ୍ଧତୀ’ ପରି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ଏହାସହିତ ଏକ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ଶୈକର’ରେ ସେ ଅଭିନୟ କରିଥିଲେ । ୧୯୭୫ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିବାବେଳେ ୨୦୦୦ରେ କଳିଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ପୁରସ୍କାରରେ ସମ୍ମାନିତ ହୋଇଥିଲେ।


