ପୋଖରୀରେ ବୁଡି ଶିଶୁପୁତ୍ର ମୃତ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମ ପୋଖରୀରେ ଗୁରୁବାର ଦିନ ଅପରାହ୍ନର ୪ଟା ପାଖାପାଖି ସମୟରେ ଏକ ଶିଶୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଖଡିଆଶୋଳ ଗ୍ରାମର ସିଙ୍ଗରାୟ ସୋରେନ ଏବଂ ତାଙ୍କର ୪ବର୍ଷର ସାନପୁଅ ମଙ୍ଗଲ ସୋରେନ ଆଜି ଅପରାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀର ତୋଠରେ ପୁଅକୁ ବସାଇ ଦେଇ ବାପ ସିଙ୍ଗରାୟ ପୋଖରୀ ଭିତରକୁ ଯାଇ ଗାଧୋଉଥିଲେ । ଦୁର୍ଭାଗ୍ୟବଶତଃ କେତେବେଳେ ପୁଅ ମଙ୍ଗଲ ପାଣି ଭିତରକୁ ଚାଲିଯାଇଥିଲା ଓ ପାଣିରେ ବୁଡି ଯାଇଥିଲା ।ପରେ ହଠାତ୍ ପଛକୁ ଅନେଇ ସିଙ୍ଗରାୟ ଦେଖେତ ପୁଅ ନାହିଁ ।ସେ ଭୟଭୀତ ହୋଇ ଯାଇଥିଲା । ପରେ ଗାଁ ଲୋକଙ୍କ ସହ ପୋଖରୀରେ ଖୋଜିଲା ବେଳେ ପାଣି ଭିତରେ ଗୋଡ଼ରେ କ’ଣ ଗୋଟେ ବାଜିଲା ।ସେଠୁ ଦେଖନ୍ତେ ପୁଅ ମଙ୍ଗଲ ।ମଙ୍ଗଳକୁ ପାଣିରୁ ଉଠାଇ ବାଇକ ସାହାଯ୍ୟରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁରେ ମା ର କାନ୍ଦ ବୋବାଳିରେ ଡାକ୍ତରଖାନାରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି । ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯିବ । ପୋଲିସ ତଦନ୍ତ କରୁଛି ।


