ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବଙ୍କ ମାରାଥନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ବେଶ ଜୋରଦାର ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୋପାଳ ଗାଁ, ଶ୍ରୀକଣ୍ଠପୁର, ନେଳିଆ ବାଗ ପ୍ରଭୃତି ଅଂଚଳକୁ ନେଇ ଗଠିତ ୨୯ ନମ୍ବର ୱାର୍ଡରେ ବିଜେପି ପକ୍ଷରୁ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଇଛି । ଏହି ଅବସରରେ ଦଳର ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବ ଯୋଗଦେଇ ୱାର୍ଡ଼ର କ୍ୟାଥୋଲିକ ପଡ଼ାରେ ଭୋଟଭିକ୍ଷା କରିଥିଲେ । ୱାର୍ଡ଼ମାନଙ୍କରେ ରହିଥିବା ମୌଳିକ ସମସ୍ୟା ସମାଧାନ ପାଇଁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ତାଙ୍କୁ ସହରର ବିଭିନ୍ନ ସ୍ଥାନରେ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ପୌର ନିର୍ବାଚନରେ ସେ ବିଜୟୀ ହେବା ନେଇ ଆଶା ପ୍ରକାଶ କରିଥିଲେ । ଶ୍ରୀମତୀ ଦେବଙ୍କ ସହିତ ୨୯ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ସସ୍ମିତା ଦାଶ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ । ଗାଁର ଝିଅ ଓ ଗାଁର ବୋହୁ ଭାବେ ୨୯ନଂ ୱାର୍ଡର ଜନସାଧାରଣ ନିଶ୍ଚିତ ଭାବେ ତାଙ୍କୁ ସମର୍ଥନ ଦେବେ ବୋଲି ଶ୍ରୀମତୀ ଦାଶ ଦୃଢ ଆଶାପ୍ରକାଶ କରିଥିଲେ । ସେ ବିଜୟୀ ହେଲେ ୱାର୍ଡ଼ବାସୀଙ୍କ ପ୍ରତ୍ୟେକ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ବିଜେପି ପ୍ରାର୍ଥୀଙ୍କ ପ୍ରତି ସ୍ୱତଃ ଜନସମର୍ଥନ ବଢୁଥିବା କହିଥିଲେ ବିଜେପିର ଆଂଚଳିକ ମିଡିଆ ପ୍ରଭାରୀ ତଥା ୨୯ନଂ ୱାର୍ଡ ବାସିନ୍ଦା ସତ୍ୟଜିତ ମିଶ୍ର । ଦୀର୍ଘ ଦିନରୁ ବାଲେଶ୍ୱର ପୌରାଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଚାଲିଥିବା ବେଳେ ଶାସକ ବିଜେଡିର ଭୁଲାଣିଆ କଥାରୁ ଲୋକେ ମୁହଁ ମୋଡିଲେଣି ବୋଲି ସେ କହିଥିଲେ । ବାଲେଶ୍ୱର ପୌରାଞ୍ଚଳର ଦ୍ରୁତ ବିକାଶ ପାଇଁ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ରଶ୍ମିରେଖା ଦେବଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବକୁ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ୨୯ନଂ ୱାର୍ଡର ବିଜେପି କର୍ମକର୍ତ୍ତାଙ୍କ ସମେତ ବହୁ ମହିଳା ଏହି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ