ପ୍ରଖ୍ୟାତ ବିଦ୍ୱାନ, ଜ୍ୟୋତିର୍ବିଦ ଓ ଯଜ୍ଞାଚାର୍ଯ୍ୟ ବାଣୀଭୂଷଣ ଡଃ ନିରଞ୍ଜନ ବ୍ରହ୍ମାଙ୍କ ଦେହାନ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତବର୍ଷର ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ଜ୍ୟୋତିର୍ବିଦ ଓ ଯଜ୍ଞାଚାର୍ଯ୍ୟ ବାଣୀଭୂଷଣ ଡଃ ନିରଞ୍ଜନ ବ୍ରହ୍ମାଙ୍କର ଆଜି ପ୍ରାତଃ ୪ଘଣ୍ଟା ୪୦ ମିନିଟ୍ ସମୟରେ ତାଙ୍କ ପୁରୀ ଗୋପୀନାଥପୁର ଶାସନସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବ୍ରହ୍ମା ରାଜରଣପୁରର ଲତାର ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ନିଜ ପିତା ଭୀକ୍ଷାକାରୀ ବ୍ରହ୍ମାଙ୍କ ଠାରୁ ସଂସ୍କୃତ ଶିକ୍ଷା କରିବା ପରେ କାଶୀ ସଂସ୍କୃତ ମହାବିଦ୍ୟାଳୟରୁ ବେଦରେ ଆଚାର୍ଯ୍ୟ ହେବା ପରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଅସାଧାରଣ ଧିଶକ୍ତିର ଅଧିକାରୀ ଥିଲେ ସ୍ୱର୍ଗତ ବ୍ରହ୍ମା । ତାଙ୍କ ଜୀବନକାଳ ମଧ୍ୟରେ ୪୦ରୁ ଉର୍ଦ୍ଧ୍ୱ ଜ୍ୟୋତିଷ, କର୍ମକାଣ୍ଡ, ମାଳିକା, ଶୂନ୍ୟପୁରାଣ, ନିତ୍ୟପାଠ, ଶ୍ରାଦ୍ଧପଦ୍ଧତି, ବାସ୍ତୁଶାସ୍ତ୍ର, ଜାତକ ବିଚାର, ମୁହୂର୍ତ୍ତ ନିର୍ଣ୍ଣୟ ଭଳି ପୁସ୍ତକ ରଚନା କରି ଉତ୍କଳ ବାଣୀ ଭଣ୍ଡାରକୁ ସେ ଦେଇ ଯାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ୱର୍ଗତ ବ୍ରହ୍ମାଙ୍କ ବ୍ୟକ୍ତିଗତ ପାଠାଗାରରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଦୁର୍ଲଭ ସଂସ୍କୃତ ପୁସ୍ତକ ରହିଛି । ସ୍ୱର୍ଗତ ବ୍ରହ୍ମାଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଳାସିନୀ ବହ୍ମା ବିଦ୍ୟମାନ ଅଛନ୍ତି । ସ୍ୱର୍ଗତ ବ୍ରହ୍ମା ୧୯୮୧ ମସିହାରେ ଗୋବର୍ଦ୍ଧନ ପୀଠରେ ୧୪୪ତମ ଶଙ୍କରାଚାର୍ଯ୍ୟ ଶ୍ରମଦ ସ୍ୱାମୀ ନିରଞ୍ଜନ ଦେବ ତୀର୍ଥଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ସ୍ୱର୍ଗତ ବ୍ରହ୍ମାଙ୍କ ପରଲୋକ ଖବର ଜାଣିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନ ଓ ସ୍ୱର୍ଗଦ୍ୱାର ଠାରେ ଶେଷଦର୍ଶନ କରିଥିଲେ । ସ୍ୱର୍ଗଦ୍ୱାରଠାରେ ତାଙ୍କର ପୁତୁରା ପ୍ରଭାତ କୁମାର ଶତପଥୀ ମୁଖାଗ୍ନି ଦେଇଥିଲେ । ସଂସ୍କାର ସମୟରେ ବିଶିଷ୍ଟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ପଣ୍ଡିତ କାହ୍ନୁଚରଣ ପଣ୍ଡା ଓ ପଣ୍ଡିତ ଚିନ୍ମୟ ଶତପଥୀ ବେର ପୁରୁଷ ସୂକ୍ତ ପାଠ କରିଥିଲେ । ସ୍ୱର୍ଗଦ୍ୱାରଠାରେ ପୁରୀ ସାଂସଦଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜ, ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଉତ୍କଳ ବିଦ୍ୱଦ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ସମାଜସେବୀ ବରୁଣ ରାଜ, ରାଜରଣପୁରର ବିଶିଷ୍ଟ ପଣ୍ଡିତ ଗୋଦାବରିଶ ଶତପଥୀ, ବିଭୂତି ଭୂଷଣ ଶତପଥୀ, ପ୍ରଶାନ୍ତ କୁମାର ବହିନୀପତି, ପ୍ରଭାତ କୁମାର ବାହିନୀପତି, ଦେବ ପ୍ରସାଦ ରଥ, ଭାସ୍କର ଚନ୍ଦ୍ର ଶତପଥୀ ଓ ବ୍ରଜକିଶୋର ଶତପଥୀଙ୍କ ସମେତ ପୁରୀର ବହୁ ସଂସ୍କୃତ ଛାତ୍ର, ଶିଷ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ବ୍ରହ୍ମାଙ୍କ ବିୟୋଗରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ଡଃ ହରେକୃଷ୍ଣ ଶତପଥୀ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପଦ୍ମଶ୍ରୀ ବାବା ବଳିଆ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ବିଜେପି ନେତା ବିଶ୍ୱନାଥ ରଥ, ଡଃ ବୁଦ୍ଧଦେବ ମିଶ୍ର, ଡଃ ସୌରେନ୍ଦ୍ର ମହାପାତ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ