ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦ ରେ ପ୍ରତିବାଦ ସଭା ଓ ବିକ୍ଷୋଭ
ନିମାପଡ଼ା, (ସନ୍ତୋଷ ଦାଶ):କେନ୍ଦ୍ର ସରକାର ଙ୍କ ସାଗର ମାଳା ପ୍ରକଳ୍ପ ରେ ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା କୁ ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ବିରୋଧ କରିଛି ଅସ୍ତରଙ୍ଗ ଉପକୂଳ ଜାତୀୟ ରାଜପଥ କ୍ରିୟାନୁଷ୍ଠାନ କମିଟି। କମିଟି ସଭାପତି ଅଶୋକ ସ୍ଵାଇଁ, କାଳନ୍ଦୀ ଛାଟୋଇ, ରବୀନ୍ଦ୍ର ମହାନ୍ତି, ପ୍ରସନ୍ନ ବେହେରା,କଳ୍ପତରୁ ସେନାପତି, ମାନସ ବେହେରା ପ୍ରମୁଖ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା, ବୁଦ୍ଧିଜିବୀ ଓ ମତ୍ସ୍ୟଜିବୀ ଆଜି ଅସ୍ତରଙ୍ଗ ବଜାର ରେ ଏକ ବିରାଟ ଶୋଭାଯାତ୍ରା କରିବା ସହିତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କେନ୍ଦ୍ର ସରକାର ଙ୍କ ସାଗରମାଳା ଯୋଜନା ରେ ହୋଇଥିବା ରାଜପଥ ନିର୍ଧାରଣ କୁ ବଦଳାଯାଇଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର ତୁରନ୍ତ ପୂର୍ବ ନକ୍ସା ଅନୁସାରେ ରାଜପଥ ନିର୍ମାଣ କରନ୍ତୁ ନଚେତ୍ ରାସ୍ତା କାର୍ଯ୍ୟ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ କରାଇ ଦିଆଯିବ ନାହିଁ ବୋଲି ଉପକୂଳ ଜାତୀୟ ରାଜପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯିବା ସହିତ ଏକ ଦାବିପତ୍ର ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ପ୍ରଦାନ କରାଯାଇଛି। ସାଗରମାଳା ପରିଯୋଜନା ରେ ନିର୍ମାଣ ହେବାକୁଥିବା ଉପକୂଳ ରାସ୍ତା ସମୁଦ୍ର କୂଳରେ ଯିବାର ନକ୍ସା ପ୍ରସ୍ତୁତ ହୋଇଥିଲା। କିନ୍ତୁ କିଛି ବର୍ଷ ର ବ୍ୟବଧାନ ପରେ ଚୂଡାନ୍ତ ନକ୍ସା ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ପୁରୀ ଓ ଏହାର ପଡୋଶୀ ଜଗତସିଂହପୁର ଜିଲ୍ଲାର ଉପକୂଳ ଠାରୁ ୨୦କିମି ଦୂରରେ ଏହି ରାସ୍ଥା ଯାଉଥିବା ନକ୍ସା ପ୍ରସ୍ତୁତ କରାଯାଇ ଥିବାରୁ ବୁଦ୍ଧିଜୀବୀ ,ସଚେତନ ନାଗରିକ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ବେଳେ ସ୍ଥାନୀୟ ବୁଦ୍ଧିଜିବୀ ଓ ମତ୍ସ୍ୟଜିବୀ ମାନେ ଏହାକୁ ଘୋର ବିରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ,୨୦୧୫ମସିହାରେ ଉପକୁଳ ରାଜପଥ ସଂପର୍କରେ ଘୋଷଣା କରିଥିଲେ ତତ୍କାଳୀନ ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ହେଲେ ରାଜ୍ୟ ଓ କେନ୍ଦ୍ର ର ଟଣା ଓଟରା ନେଇ ଏହା ୭ବର୍ଷ ପର୍ଯ୍ୟନ୍ତ ଝୁଲି ରହିଥିଲା। ପ୍ରଥମେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଯାଉଥିବା ଏହି ରାଜପଥ ଟି ପୁରୀ ବେଳାମାର୍ଗ , କୋଣାର୍କ ,କାକଟପୁର ବ୍ଲକ ସହ ଅସ୍ତରଙ୍ଗ ବ୍ଲକ ର ଗଡ଼ ନୟନଛଡା,ସରିପୁର,କନ୍ତପହରା, ହୀରାଦେଇପୁର, ଅନନ୍ତା,ନଗର ଗ୍ରାମପଂଚୟତ ର ବାଲିଡ଼ିଆ ଦେଇ ଦେବୀନଦୀ ପାର ହୋଇ ଅତୀତରେ ଅସ୍ତରଙ୍ଗ ବ୍ଲକ ଥିବା ଓ ବର୍ତ୍ତମାନ ଜଗତସିଂହପୁର ଜିଲା ର ଚାରିବାଟିଆ, କସୁପୁର, ମାଂକଡଡିଆ ତେନ୍ତୁଳିବେଲାରୀ ଆଦି ଦେଇ ପାରାଦୀପ ଯାଉଥିଲା । ଯାହାକି ସମୁଦ୍ର ଠାରୁ ପାଞ୍ଚ କିଲୋମିଟର ଭିତରେ ଥିଲା । ବର୍ତ୍ତମାନ ଚୂଡାନ୍ତ ନକ୍ସା ରେ ତାହା ପରିବର୍ତ୍ତନ କରାଯାଇ ୨୦ କିଲୋମିଟର ଦୂରରେ କରାଯାଉଛି । ଯାହା ଫଳରେ କି ଉପକୂଳ ରାଜପଥ ତାହାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି । ଅସ୍ତରଙ୍ଗ ରେ ବନ୍ଦର ହେବା ପାଇଁ ଯୋଜନା ରହିଛି ଓ ପର୍ଯ୍ୟଟନ ର ବିକାଶ ମଧ୍ୟ ରହିଅଛି । ସେହିପରି ଅତୀତରେ ଅସ୍ତରଙ୍ଗ ବ୍ଳକ ଅଧିନରେଥିବା ଜଗତସିଂହପୁର ଜିଲ୍ଲାର ମରଚିପୁର ନିକଟରେ ବନ୍ଦର,ପର୍ଯ୍ୟଟନ ସ୍ଥଳୀ ସହ ଏରସମାର ସିଆଳି ବେଳାଭୁମି ରହି ଅଛି । ଯଦି ଉପକୂଳ ଠାରୁ ୨୦ କିଲୋମିଟର ଦୂରରେ ରାଜପଥ ଯାଏ ବାଣିଜ୍ୟ ପରିବହନ ପର୍ଯ୍ୟଟନ ସହ ଉପକୂଳର ବିକାଶ କିପରି ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ ।ଏହି ରାଜପଥ ଟି ଖୋରଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ୱର ଦେଇ ଯିବ । ଏଥିରେ ନ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ରହିଛି । ରାଜପଥ ନିର୍ମାଣ ନେଇ ପୂର୍ବରୁ ଜମି ଅଧିଗ୍ରହଣ ପାଇଁ ଯେଉଁ ନୋଟିସ ବାହାରିଥିଲା ତାହା ପରିବର୍ତ୍ତନ କରାଯାଇ ନୂଆ ନୋଟିସ ବାହାରି ବାରୁ ଏହାକୁ ବିରୋଧ କରାଯାଇଛି ।


